Sachin Tendulkar: ଲୋନାଭାଲାରେ ୩.୮୬ ଏକର ଜମି କିଣିଲେ ସଚିନ, ଖର୍ଚ୍ଚ କଲେ ପ୍ରାୟ ୭୦ କୋଟି
ନୂଆଦିଲ୍ଲୀ: କ୍ରିକେଟରୁ ଅବସର ପରେ ଏବେ ରିଅଲ୍ ଇଷ୍ଟେଟ୍ ନିବେଶକୁ ନେଇ ଚର୍ଚ୍ଚାରେ ସଚିନ ତେନ୍ଦୁଲକର। ମହାରାଷ୍ଟ୍ରର ପ୍ରସିଦ୍ଧ ହିଲ୍ ଷ୍ଟେସନ୍ ଲୋନାଭାଲାରେ ସଚିନ ପ୍ରାୟ ୩.୮୬ ଏକର ଜମି କିଣିଥିବା ଜଣାପଡ଼ିଛି। ପ୍ରପର୍ଟି ରେଜିଷ୍ଟ୍ରେସନ୍ ତଥ୍ୟ ଅନୁସାରେ, ଏହି ଡିଲ୍ ପାଇଁ ସେ ପ୍ରାୟ ୭୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ସେପ୍ଟେମ୍ବର ୪ରେ ତିନୋଟି ଅଲଗା କନଭେୟାନ୍ସ ଡିଡ୍ ମାଧ୍ୟମରେ ଏହି କିଣାବିକା ସମ୍ପନ୍ନ ହୋଇଥିବା ବେଳେ ଏଥିରେ ପ୍ରାୟ ୨,୧୦୦ ବର୍ଗଫୁଟର ଏକ ନିର୍ମିତ ଢାଞ୍ଚା ମଧ୍ୟ ରହିଛି।
ତିନୋଟି ଡିଲ୍ ମଧ୍ୟରୁ ୩.୦୯ ଏକର ଜମି ପାଇଁ ସଚିନ ୬୩.୬୯ କୋଟି ଟଙ୍କା ଦେଇଛନ୍ତି ଏବଂ ଏହି ଜମିରେ ତାଙ୍କର ଶତପ୍ରତିଶତ ମାଲିକାନା ରହିଛି। ଅନ୍ୟ ଦୁଇଟି ସମ୍ପତ୍ତି ପାଇଁ ଯଥାକ୍ରମେ ୪.୫୬ କୋଟି ଓ ୧.୭୫ କୋଟି ଟଙ୍କା ଦିଆଯାଇଥିବା ବେଳେ ସେଠାରେ ସଚିନଙ୍କର ୫୦ ପ୍ରତିଶତ ଅବିଭକ୍ତ ଅଂଶ ରହିଛି। ଏହି ସମ୍ପତ୍ତିଗୁଡ଼ିକ ନନ୍ଦନ ଧନଞ୍ଜୟ ମେହତା ଓ ବିବସ୍ୱତ ଧନଞ୍ଜୟ ମେହତାଙ୍କଠାରୁ କିଣାଯାଇଥିବା ରେଜିଷ୍ଟ୍ରେସନ୍ ତଥ୍ୟରୁ ଜଣାପଡ଼ିଛି। ଏହି କାରବାର ପାଇଁ ପ୍ରାୟ ୪.୨୦ କୋଟି ଟଙ୍କା ଷ୍ଟାମ୍ପ ଡ୍ୟୁଟି ଏବଂ ୯୦ ହଜାର ଟଙ୍କା ରେଜିଷ୍ଟ୍ରେସନ୍ ଫି ଦିଆଯାଇଛି।
ମାଭଲ ତାଲୁକାରେ ଥିବା ଏହି ସମ୍ପତ୍ତିଗୁଡ଼ିକର ମୋଟ ଅଞ୍ଚଳ ପ୍ରାୟ ୧୫,୬୦୧.୭୮ ବର୍ଗମିଟର, ଅର୍ଥାତ୍ ପ୍ରାୟ ୧.୬୮ ଲକ୍ଷ ବର୍ଗଫୁଟ୍ କିମ୍ବା ୩.୮୬ ଏକର। ତିନୋଟି ଡିଲ୍କୁ ମିଶାଇ ଦେଖିଲେ ପ୍ରତି ବର୍ଗଫୁଟ୍ ପିଛା ହାରାହାରି କାରବାର ମୂଲ୍ୟ ପ୍ରାୟ ୪,୧୬୮ ଟଙ୍କା ହେଉଛି। ମୁମ୍ବାଇ ଓ ପୁଣେ ନିକଟରେ ଥିବାରୁ ଲୋନାଭାଲା ସେଲିବ୍ରିଟି ଓ ଧନୀ ବର୍ଗଙ୍କ ପାଇଁ ଏକ ଲୋକପ୍ରିୟ ସେକେଣ୍ଡ୍-ହୋମ୍ ଡେଷ୍ଟିନେସନ୍ ଭାବେ ପରିଚିତ।

