Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BCET Student Death: ହଷ୍ଟେଲ ରୁମ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁ ପୂର୍ବରୁ ମା’ଙ୍କୁ କରିଥିଲେ ଫୋନ୍‌

ବାଲେଶ୍ୱର: ବାଲେଶ୍ୱର ଜିଲା ସେରଗଡ଼ସ୍ଥିତ ବାଲେଶ୍ୱର କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (BCET) ଛାତ୍ରୀ ହଷ୍ଟେଲରେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋର ଥାନା ଅଧୀନ ମଙ୍ଗଳପୁର ଅଞ୍ଚଳର ଗୋପୀନାଥପୁର ଗ୍ରାମର ଭାଗ୍ୟଶ୍ରୀ ରାଉତ ହଷ୍ଟେଲରେ ରହି ପାଠପଢ଼ୁଥିଲେ। ସୋମବାର ରାତିରେ ମୃତ୍ୟୁ ପୂର୍ବରୁ ସେ ତାଙ୍କ ମା’ଙ୍କୁ ଫୋନ୍‌ କରି ନିଜ ଜୀବନ ଶେଷ କରିଦେବେ ବୋଲି କହିଥିବା ଜଣାପଡ଼ିଛି। ଏହାପରେ ମା’ ତୁରନ୍ତ ହଷ୍ଟେଲ୍‌ ୱାର୍ଡେନ୍‌ଙ୍କୁ ଜଣାଇଥିଲେ।

ମା’ଙ୍କ ଫୋନ୍‌ ପରେ ୱାର୍ଡେନ୍‌ ଛାତ୍ରୀଙ୍କ ରୁମ୍‌କୁ ଯାଇଥିବା ବେଳେ ସେଠାରେ ଭାଗ୍ୟଶ୍ରୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଘଟଣା ପରେ ପରିବାରକୁ ଖବର ଦିଆଯାଇଥିଲା। ତେବେ ଏହି ଘଟଣାକୁ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଖନ୍ତାପଡ଼ା ଥାନାରେ ଝିଅଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରାଯାଇଛି। ପରିବାରର ଅଭିଯୋଗକୁ ଆଧାର କରି ପୁଲିସ ଘଟଣାର ବିଭିନ୍ନ ଦିଗ ନେଇ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ, ପୁଲିସ ମୃତଦେହକୁ ଜବତ କରି ମଙ୍ଗଳବାର ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର ପ୍ରକୃତ କାରଣ ଜାଣିବା ସହ ପରିବାର ପକ୍ଷରୁ ହୋଇଥିବା ହତ୍ୟା ଅଭିଯୋଗର ସତ୍ୟତା ଯାଞ୍ଚ କରୁଛି ପୁଲିସ। ଘଟଣା ସମ୍ପର୍କରେ ହଷ୍ଟେଲ୍‌ କର୍ତ୍ତୃପକ୍ଷଙ୍କ ସହ ଅନ୍ୟମାନଙ୍କୁ ପଚରାଉଚରା କରାଯିବା ସହ ତଦନ୍ତ ଜାରି ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଛାତ୍ରୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories