Bullet Train: ଭାରତର ସ୍ୱଦେଶୀ ବୁଲେଟ୍ ଟ୍ରେନ୍କୁ ନେଇ ବଡ଼ ଖବର, ୨୦୨୭ ମେ’-ଜୁନ୍ରେ ଆରମ୍ଭ ହେବ ଟ୍ରାଏଲ୍
ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୁଲେଟ୍ ଟ୍ରେନ୍ ପ୍ରସ୍ତୁତିରେ ବଡ଼ ସଫଳତା ମିଳିଛି। ଟ୍ରେନର ବଡି ଫ୍ରେମ୍ ନିର୍ମାଣ କାମ ଶେଷ ହୋଇଥିବା ବେଳେ ଆସନ୍ତା ୨୦୨୭ ମେ’ କିମ୍ବା ଜୁନ୍ ସୁଦ୍ଧା ଏହାର ଟ୍ରାକ୍ ଟେଷ୍ଟିଂ ଆରମ୍ଭ ହେବ। ଗୁଜରାଟର ଭଦୋଦରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।
ରେଳମନ୍ତ୍ରୀଙ୍କ କହିବାନୁସାରେ, ବୁଲେଟ୍ ଟ୍ରେନର ବଡି ଫ୍ରେମ୍ ପ୍ରସ୍ତୁତ ହେବା ପରେ ଏହାକୁ ‘ସ୍କୁଇଜ୍ ଟେଷ୍ଟ’ ପାଇଁ ପଠାଯାଇଛି। ଟ୍ରାକ୍ ଉପରେ ପରୀକ୍ଷା ଆରମ୍ଭ ହେବା ପରେ ପ୍ରାୟ ୨ରୁ ୪ ମାସ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ କଠୋର ପରୀକ୍ଷଣ କରାଯିବ। ପରୀକ୍ଷା ସଫଳ ହେଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଆନୁଷ୍ଠାନିକ ଶୁଭାରମ୍ଭ କରାଯିବ। ଏହି ସେବା ଆରମ୍ଭ ହେଲେ ଭଦୋଦରାରୁ ମୁମ୍ବାଇ ଯାତ୍ରା ସମୟ ହ୍ରାସ ପାଇ ପ୍ରାୟ ୧ ଘଣ୍ଟା ୩୦ ମିନିଟ୍ ହେବ ବୋଲି କୁହାଯାଇଛି।
ସେହିପରି ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ କରିଡରର ସୁରଟରୁ ବିଲିମୋରା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ସେବା ଆସନ୍ତା ବର୍ଷ ଆରମ୍ଭ କରିବାକୁ ଲକ୍ଷ୍ୟ ରହିଛି। ଏହି ପ୍ରକଳ୍ପ ଭାରତୀୟ ରେଳ କ୍ଷେତ୍ରରେ ସ୍ୱଦେଶୀ ଉଚ୍ଚ ପ୍ରଯୁକ୍ତିର ଏକ ବଡ଼ ମାଇଲଖୁଣ୍ଟ ହେବ ବୋଲି ରେଳ ମନ୍ତ୍ରଣାଳୟ ଆଶା ରଖିଛି।

