Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Unsafe Buildings: ବିପଦପୂର୍ଣ୍ଣ କୋଠା ବିରୋଧରେ ସରକାରଙ୍କ କଡ଼ା ଆକ୍ସନ, ୧୫ ଦିନିଆ ଯାଞ୍ଚ ପରେ ଭାଙ୍ଗିବାକୁ ନିଆଯିବ ପଦକ୍ଷେପ

ଭୁବନେଶ୍ୱର: ଓଡ଼ିଶାରେ ବିପଦପୂର୍ଣ୍ଣ ଓ ଜରାଜୀର୍ଣ୍ଣ କୋଠା ବିରୋଧରେ ସରକାର ଏବେ କଡ଼ା ପଦକ୍ଷେପ ନେବାକୁ ଯାଉଛନ୍ତି। ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ରାଜ୍ୟବ୍ୟାପୀ ୧୫ ଦିନିଆ ଯାଞ୍ଚ ଓ ପରିଦର୍ଶନ ଅଭିଯାନ ଆରମ୍ଭ ହୋଇଛି। ଏହି ଯାଞ୍ଚରେ ସରକାରୀ ଓ ଘରୋଇ ଉଭୟ ପ୍ରକାରର କୋଠାକୁ ସାମିଲ କରାଯିବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଯେଉଁ କୋଠା ଜୀବନ ଓ ସମ୍ପତ୍ତି ପାଇଁ ଗୁରୁତର ବିପଦ ସୃଷ୍ଟି କରୁଛି, ତାହା ବିରୋଧରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଆବଶ୍ୟକ ହେଲେ ଭଙ୍ଗାଯିବ।

ସରକାରୀ କୋଠାଗୁଡ଼ିକ ମଧ୍ୟରୁ ଅନେକ ବିପଦପୂର୍ଣ୍ଣ ଢାଞ୍ଚାର ପୂର୍ବରୁ ମୂଲ୍ୟାଙ୍କନ କରାଯାଇଥିବା ଏବଂ ଆବଶ୍ୟକ ସ୍ଥଳେ ନୋଟିସ୍‌ ଜାରି ହୋଇଥିବା ମନ୍ତ୍ରୀ କହିଛନ୍ତି। ସ୍କୁଲ୍‌ ଓ ଅଙ୍ଗନବାଡ଼ି ଭଳି ସରକାରୀ ଢାଞ୍ଚା ମଧ୍ୟ ଯାଞ୍ଚ ପରିସରରେ ରହିଛି। ଏବେ ଘରୋଇ କୋଠାଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇ ଦୁର୍ବଳ କିମ୍ବା ବିପଦଜନକ ଅବସ୍ଥାରେ ଥିବା ଢାଞ୍ଚାର ମାଲିକଙ୍କୁ ନୋଟିସ୍‌ ଦିଆଯିବ। ଯାଞ୍ଚକାରୀ ଦଳ କୋଠାର ଗଠନାତ୍ମକ ସ୍ଥିତି ଓ ସୁରକ୍ଷା ଆକଳନ କରିବା ପରେ ରିପୋର୍ଟ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ।

ବିଶେଷକରି କଟକ ଓ ପୁରୀ ଭଳି ପୁରୁଣା ସହରରେ ଦୀର୍ଘଦିନ ଧରି ରହିଥିବା ପୁରୁଣା ଓ ଦୁର୍ବଳ କୋଠାଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଯାଞ୍ଚରେ ବିପଦପୂର୍ଣ୍ଣ ଭାବେ ଚିହ୍ନଟ ହେଉଥିବା କୋଠା ବିରୋଧରେ ନୋଟିସ୍‌ଠାରୁ ଆରମ୍ଭ କରି ଆବଶ୍ୟକ ସ୍ଥଳେ ଭଙ୍ଗାଯିବା ପର୍ଯ୍ୟନ୍ତ ପଦକ୍ଷେପ ନିଆଯିବ। ଦୁର୍ଘଟଣା ଘଟିବା ପୂର୍ବରୁ ଢାଞ୍ଚାଗତ ବିପଦ ଚିହ୍ନଟ କରି ଜୀବନ ଓ ସମ୍ପତ୍ତିର ସୁରକ୍ଷା କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories