Eknath Shinde: ହସ୍ପିଟାଲ କର୍ମଚାରୀଙ୍କୁ ମାଡ଼ ଅଭିଯୋଗ, ଶିବସେନା ନେତା ରାହୁଲ ଘରାତଙ୍କୁ ଦଳରୁ ବହିଷ୍କାର
ମହାରାଷ୍ଟ୍ର: ମହାରାଷ୍ଟ୍ରର ପାଲଘରରେ ହସ୍ପିଟାଲ କର୍ମଚାରୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ଅଭିଯୋଗକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେ। ଏହି ଘଟଣାରେ ପାଲଘର ସିଟି ଚିଫ୍ ରାହୁଲ ଘରାତଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦହିହାଣ୍ଡି ଉତ୍ସବରେ ଆହତ ହୋଇଥିବା କିଛି ଗୋବିନ୍ଦାଙ୍କ ଚିକିତ୍ସା ବିଲ୍କୁ ନେଇ ରିଲିଫ୍ ହସ୍ପିଟାଲରେ ବିବାଦ ହୋଇଥିଲା। ପୁଲିସ ଏହି ଘଟଣାରେ ରାହୁଲ ଘରାତଙ୍କ ସମେତ ୧୭ ଜଣ ଶିବସେନା କର୍ମକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।
ରିପୋର୍ଟ ଅନୁସାରେ, ଦହିହାଣ୍ଡି ସମୟରେ ଆହତ ହୋଇଥିବା ୫ ଜଣଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ମୋଟ ୧୯,୮୬୬ ଟଙ୍କା ବିଲ୍ ହୋଇଥିଲା। ସେଥିରୁ ୧୦ ହଜାର ଟଙ୍କା ପୈଠ ହୋଇଥିବା ବେଳେ ବାକି ଟଙ୍କାକୁ ନେଇ ବିବାଦ ତୀବ୍ର ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ପ୍ରାୟ ୧୫ରୁ ୨୦ ଜଣଙ୍କ ଏକ ଦଳ ହସ୍ପିଟାଲରେ ପହଞ୍ଚି ଡାକ୍ତର ଓ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିବା ସହ ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିବା ପୁଲିସ ଅଭିଯୋଗ ରହିଛି। ଏପରିକି ଦଳଟି ଆଇସିୟୁ ଭିତରକୁ ମଧ୍ୟ ପ୍ରବେଶ କରିଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ ଏକନାଥ ସିନ୍ଦେ କହିଛନ୍ତି ଯେ, ଡାକ୍ତର କିମ୍ବା ହସ୍ପିଟାଲ କର୍ମଚାରୀଙ୍କ ଉପରେ ଆକ୍ରମଣକୁ ଶିବସେନା କୌଣସି ପରିସ୍ଥିତିରେ ସମର୍ଥନ କରିବ ନାହିଁ। ଅଭିଯୋଗ ଥିଲେ ଆଇନଗତ ଉପାୟରେ ତାହାର ସମାଧାନ କରାଯିବା ଉଚିତ ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ, ରାହୁଲ ଘରାତଙ୍କୁ ପୁଲିସ ଗିରଫ କରିଥିବା ବେଳେ ଘଟଣାରେ ମୋଟ ୭ ଜଣ ଦଳୀୟ ପଦାଧିକାରୀଙ୍କ ବିରୋଧରେ ପର୍ଯ୍ୟାୟକ୍ରମେ ଶୃଙ୍ଖଳାମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମାମଲାରେ ପୁଲିସ ତଦନ୍ତ ଜାରି ରଖିଛି।

