Orangutan Rescue: ବାଲେଶ୍ୱର ଜଙ୍ଗଲରୁ ୫ ଓରାଙ୍ଗୁଟାନ୍ ଉଦ୍ଧାର ହୋଇଥିବା ଘଟଣା, ଚୋରାଚାଲାଣ ସନ୍ଦେହ
ବାଲେଶ୍ୱର: ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲ ଅଞ୍ଚଳରୁ ୫ ଓରାଙ୍ଗୁଟାନ୍ ମିଳିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଦ୍ଵନ୍ଦରେ ମଧ୍ୟ ପକାଇଛି | ଭାରତରେ ଓରାଙ୍ଗୁଟାନ୍ ପ୍ରାକୃତିକ ଭାବେ ଦେଖାଯାଆନ୍ତି ନାହିଁ। ତେଣୁ ଏହି ବିରଳ ପ୍ରାଣୀମାନେ କିପରି ବାଲେଶ୍ୱରର ଜଙ୍ଗଲରେ ପହଞ୍ଚିଲେ, ତାହାକୁ ନେଇ ବନ ବିଭାଗ ଓ ସରକାର ଚିନ୍ତା ପ୍ରକାଶ କରିଛନ୍ତି।
ଏହି ଘଟଣା ପଛରେ ଅନ୍ତର୍ଜାତୀୟ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍ର ସମ୍ପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ରାଜ୍ୟ ସରକାର ”Wildlife Crime Control Bureau (WCCB)”କୁ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଓରାଙ୍ଗୁଟାନ୍ମାନେ କେଉଁଠାରୁ ଏବଂ କିପରି ଓଡ଼ିଶାରେ ପହଞ୍ଚିଲେ, ସେନେଇ ତଦନ୍ତ ହେବ।
ବନ ବିଭାଗ ପକ୍ଷରୁ ଉଦ୍ଧାର ହୋଇଥିବା ସମସ୍ତ ଓରାଙ୍ଗୁଟାନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ପ୍ରାଣୀ ଚିକିତ୍ସକଙ୍କ ଟିମ୍ ସେମାନଙ୍କର ପରୀକ୍ଷା କରୁଛନ୍ତି। ଓରାଙ୍ଗୁଟାନ୍ ମୂଳତଃ ଦକ୍ଷିଣ-ପୂର୍ବ ଏସିଆର ବୋର୍ନିଓ ଓ ସୁମାତ୍ରା ଅଞ୍ଚଳରେ ଦେଖାଯାଆନ୍ତି। ତେଣୁ ବାଲେଶ୍ୱର ଜଙ୍ଗଲରେ ସେମାନଙ୍କ ଉପସ୍ଥିତିକୁ ନେଇ ରହସ୍ୟ ଘନେଇବା ସହ ତଦନ୍ତ ଜୋରଦାର କରାଯାଇଛି।

