NITI Aayog Report: ଡିଗ୍ରୀ ଥିଲେ ବି ମିଳୁନି ଚାକିରି, ଗ୍ରାଜୁଏଟଙ୍କୁ ନେଇ ନୀତି ଆୟୋଗର ରିପୋର୍ଟରେ ଚିନ୍ତାଜନକ ତଥ୍ୟ
ନୂଆଦିଲ୍ଲୀ: ପୂର୍ବରୁ ଚାକିରି ପାଇଁ ଡିଗ୍ରୀକୁ ଯୋଗ୍ୟତାର ପ୍ରକୃତ ମାନଦଣ୍ଡ ବୋଲି ଧରାଯାଉଥିଲା। କିନ୍ତୁ ବଦଳୁଥିବା ନିଯୁକ୍ତି ବଜାରରେ ଏବେ କେବଳ ଡିଗ୍ରୀ ଯଥେଷ୍ଟ ନୁହେଁ। ନୀତି ଆୟୋଗର ‘Education and Skilling for Employment: From Credentials to Learning Outcomes’ ୱାର୍କିଂ ପେପରରେ ଶିକ୍ଷା, ଦକ୍ଷତା ଓ ନିଯୁକ୍ତି ମଧ୍ୟରେ ଥିବା ବ୍ୟବଧାନକୁ ଦର୍ଶାଯାଇଛି। ଏଥିରେ ଉଲ୍ଲେଖ ହୋଇଛି ଯେ, କେବଳ ୮.୨୫% ଗ୍ରାଜୁଏଟ ନିଜ ଯୋଗ୍ୟତା ସହ ସମ୍ପର୍କିତ ଭୂମିକାରେ ନିଯୁକ୍ତ ଅଛନ୍ତି। ସେହିପରି ପ୍ରାୟ ୧୩% ଗ୍ରାଜୁଏଟ ବେକାର ଥିବାବେଳେ ମହିଳା ଗ୍ରାଜୁଏଟଙ୍କ କ୍ଷେତ୍ରରେ ଏହି ହାର ୨୦.୪% ବୋଲି ରିପୋର୍ଟରେ ଦର୍ଶାଯାଇଛି।
ନୀତି ଆୟୋଗ କହିଛି, ନିଯୁକ୍ତି ବଜାରରେ ଡିଗ୍ରୀ କିମ୍ବା ସାର୍ଟିଫିକେଟ ଅପେକ୍ଷା ବାସ୍ତବିକ ଦକ୍ଷତା ଅଧିକ ଗୁରୁତ୍ୱପୂର୍ଣ୍ଣ। ସମସ୍ୟା ସମାଧାନ, ଯୋଗାଯୋଗ, ଡିଜିଟାଲ ଦକ୍ଷତା ଏବଂ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ଭଳି କୌଶଳର ଚାହିଦା ବଢ଼ୁଛି। ରିପୋର୍ଟ ଅନୁସାରେ, ଭାରତର ଅନେକ ଶିକ୍ଷା ପାଠ୍ୟକ୍ରମ ଶିଳ୍ପର ପରିବର୍ତ୍ତିତ ଆବଶ୍ୟକତା ସହ ତାଳ ଦେଇ ଅପଡେଟ୍ ହୋଇନାହିଁ। ଫଳରେ ଡିଗ୍ରୀ ହାସଲ କରିଥିଲେ ମଧ୍ୟ ଅନେକ ଯୁବକଯୁବତୀଙ୍କ ନିକଟରେ ଚାକିରି ପାଇଁ ଆବଶ୍ୟକ କୌଶଳର ଅଭାବ ରହୁଛି। ନୀତି ଆୟୋଗର ବିଶ୍ଳେଷଣରେ ବିଶ୍ୱବିଦ୍ୟାଳୟ-କଲେଜ ବ୍ୟବସ୍ଥାର ଗ୍ରାଜୁଏଟମାନଙ୍କ employability ୨୦୨୫ରେ ପ୍ରାୟ ୫୫-୫୮% ରହିଥିବା ମଧ୍ୟ ଦର୍ଶାଯାଇଛି।
ଏହି ସମସ୍ୟାର ସମାଧାନ ପାଇଁ ନୀତି ଆୟୋଗ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଦକ୍ଷତାଭିତ୍ତିକ କରିବା ସହ ଶିକ୍ଷା ଓ ଶିଳ୍ପ ମଧ୍ୟରେ ସମନ୍ୱୟ ବଢ଼ାଇବା ଉପରେ ଜୋର ଦେଇଛି। ସ୍କୁଲ ସ୍ତରରୁ ନିଯୁକ୍ତିଯୋଗ୍ୟତା ଓ ଉଦ୍ୟୋଗୀ ଦକ୍ଷତା ବିକାଶ, ଆପ୍ରେଣ୍ଟିସିପ୍ ସୁଯୋଗ ବଢ଼ାଇବା ଏବଂ ଶିକ୍ଷା ସହ କାର୍ଯ୍ୟ ଅଭିଜ୍ଞତାକୁ ଯୋଡ଼ିବା ଭଳି ପଦକ୍ଷେପ ପ୍ରସ୍ତାବ ଦିଆଯାଇଛି। ରିପୋର୍ଟର ମୁଖ୍ୟ ସନ୍ଦେଶ ହେଉଛି—କେବଳ ଡିଗ୍ରୀ ନୁହେଁ, ବାସ୍ତବିକ ଦକ୍ଷତା ଓ ଶିଖିବାର କ୍ଷମତା ହିଁ ଭବିଷ୍ୟତରେ ନିଯୁକ୍ତି ପାଇଁ ଅଧିକ ମହତ୍ତ୍ୱ ବହନ କରିବ।

