Hanuman Ansh: ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଫିଲ୍ମ ଟିମ୍, ୧୭୦ କୋଟି ଦିଗରେ ଦ୍ରୁତ ଗତିରେ ବଢ଼ୁଛି କଲେକ୍ସନ
ଉତ୍ତରପ୍ରଦେଶ: ବକ୍ସ ଅଫିସ୍ରେ ଦମଦାର ପ୍ରଦର୍ଶନ ଜାରି ରଖିଛି ଆଧ୍ୟାତ୍ମିକ ଫିଲ୍ମ ‘Hanuman Ansh’। ରିଲିଜ୍ର ୩୩ ଦିନ ପରେ ଫିଲ୍ମର ଇଣ୍ଡିଆ ଗ୍ରସ୍ କଲେକ୍ସନ ୧୬୯.୨୦ କୋଟି ଟଙ୍କାରେ ପହଞ୍ଚିଛି। ଏହି ସଫଳତା ମଧ୍ୟରେ ଫିଲ୍ମର ନିର୍ଦ୍ଦେଶକ ବିଶାଳ ଚତୁର୍ବେଦୀ, ପ୍ରଯୋଜକ ଏବଂ କଳାକାରମାନେ ଲକ୍ଷ୍ନୌସ୍ଥିତ ନିଜ ସରକାରୀ ବାସଭବନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାରର ଫଟୋ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଛି।
ସାକ୍ଷାତକାର ସମୟରେ ଫିଲ୍ମରେ ନୀମ କରୋଲି ବାବାଙ୍କ ଜୀବନ, ନାଥ ସମ୍ପ୍ରଦାୟ ଏବଂ ଗୋରଖନାଥଙ୍କ ସହ ଜଡ଼ିତ ବିଭିନ୍ନ ଦୃଶ୍ୟକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଫିଲ୍ମ ଟିମ୍ର କହିବାନୁସାରେ, ଯୋଗୀ ଆଦିତ୍ୟନାଥ ନାଥ ପରମ୍ପରା ସହ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ମଧ୍ୟ ଦେଖିଥିଲେ। ନିର୍ଦ୍ଦେଶକ ବିଶାଳ ଚତୁର୍ବେଦୀ ନୀମ କରୋଲି ବାବାଙ୍କ ପ୍ରାରମ୍ଭିକ ଆଧ୍ୟାତ୍ମିକ ଯାତ୍ରା ଏବଂ ନାଥ ସାଧୁମାନଙ୍କ ସହ ତାଙ୍କ ସମ୍ପର୍କ ସମ୍ପର୍କରେ ମଧ୍ୟ ନିଜ ମତ ରଖିଥିଲେ। ତାଙ୍କ ଦାବି ଅନୁଯାୟୀ, ନାଥ ସାଧୁମାନଙ୍କ ସଂସ୍ପର୍ଶରେ ଆସି ନୀମ କରୋଲି ବାବାଙ୍କ ଆଧ୍ୟାତ୍ମିକ ଯାତ୍ରା ଆହୁରି ଗଭୀର ହୋଇଥିଲା।
ଅନ୍ୟପକ୍ଷରେ, ‘Hanuman Ansh’ ନୀମ କରୋଲି ବାବା, ଯିଏ ମହାରାଜ-ଜୀ ନାମରେ ମଧ୍ୟ ପରିଚିତ, ତାଙ୍କ ଜୀବନ ଓ ଶିକ୍ଷା ଉପରେ ଆଧାରିତ ଏକ ଆଧ୍ୟାତ୍ମିକ ଫିଲ୍ମ। ରିଲିଜ୍ ପରେ ଧୀରେ ଧୀରେ ମାଉଥ୍ ପବ୍ଲିସିଟି ଜରିଆରେ ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିବା ଏହି ଫିଲ୍ମ ୩୩ତମ ଦିନରେ ୧୪୩.୧୩ କୋଟି ଟଙ୍କା ଇଣ୍ଡିଆ ନେଟ୍ କଲେକ୍ସନ କରିଛି। ଏବେ ଏହାର ଗ୍ରସ୍ କଲେକ୍ସନ ୧୭୦ କୋଟି ଟଙ୍କାର ଖୁବ୍ ନିକଟରେ ରହିଛି। ଏଥିସହ ଫିଲ୍ମଟି ଖୁବ୍ଶୀଘ୍ର ଅନ୍ତର୍ଜାତୀୟ ବଜାରରେ ମଧ୍ୟ ରିଲିଜ୍ ହେବାକୁ ଯାଉଛି, ଯାହାର ବିଦେଶୀ ବିତରଣ ଦାୟିତ୍ୱ Hombale Filmsର HombaleOverseas ନେଇଛି।

