Vijay Mallya: ପଳାତକ ଟ୍ୟାଗ୍କୁ ନେଇ ମାଲ୍ୟାଙ୍କ ବଡ଼ ଦାବି, ‘ଭାରତ ସରକାର ମୋ ପ୍ରତି ଘୋର ଅନ୍ୟାୟ କରିଛନ୍ତି’
ନୂଆଦିଲ୍ଲୀ: ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁଣିଥରେ ତାଙ୍କୁ ‘ପଳାତକ’ କୁହାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଏକାଧିକ ପୋଷ୍ଟ କରି ମାଲ୍ୟା ଦାବି କରିଛନ୍ତି ଯେ, ସେ ଭାରତ ଫେରିବାକୁ ଅନିଚ୍ଛୁକ ନୁହନ୍ତି, ବରଂ ବର୍ତ୍ତମାନ ଆଇନଗତ କାରଣରୁ ୟୁକେ ଛାଡ଼ିପାରୁନାହାନ୍ତି। ତାଙ୍କ କହିବାନୁସାରେ, ସେ ୧୯୯୨ରୁ ୟୁକେର ସ୍ଥାୟୀ ବାସିନ୍ଦା ଏବଂ ବର୍ତ୍ତମାନ ଦେଶ ଛାଡ଼ିବା ଉପରେ ଆଇନଗତ ପ୍ରତିବନ୍ଧକ ରହିଛି। ଏଥିସହ ଭାରତ ସରକାର ତାଙ୍କ ପ୍ରତି ‘ଘୋର ଅନ୍ୟାୟ’ କରିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ତେବେ ଭାରତୀୟ ଆଇନ ଅନୁଯାୟୀ ମାଲ୍ୟାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଭାବେ ଘୋଷଣା କରାଯାଇଛି। ଲୋକସଭାରେ କେନ୍ଦ୍ର ସରକାର ଦେଇଥିବା ତଥ୍ୟ ଅନୁସାରେ, ୨୦୨୫ ଅକ୍ଟୋବର ୩୧ ସୁଦ୍ଧା Fugitive Economic Offenders Act, 2018 ଅଧୀନରେ ମୋଟ ୧୫ ଜଣଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରାଯାଇଥିଲା। ଏହି ତାଲିକାରେ ବିଜୟ ମାଲ୍ୟା ଓ ନୀରବ ମୋଦୀଙ୍କ ନାମ ମଧ୍ୟ ରହିଛି। ସରକାରଙ୍କ ଅନୁସାରେ, ଏହି ୧୫ ଜଣଙ୍କ ସହ ଜଡ଼ିତ ମାମଲାରେ ସରକାରୀ ବ୍ୟାଙ୍କଗୁଡ଼ିକର ପ୍ରମୁଖ ଋଣ କ୍ଷତି ୨୬,୬୪୫ କୋଟି ଟଙ୍କା ଥିବା ବେଳେ ସୁଧ ସହ ମୋଟ ରାଶି ୫୮,୦୮୨ କୋଟି ଟଙ୍କା ବୋଲି ଜଣାପଡ଼ିଥିଲା।
ଅନ୍ୟପକ୍ଷରେ, ମାଲ୍ୟାଙ୍କ ଭାରତ ପ୍ରତ୍ୟାବର୍ତ୍ତନକୁ ନେଇ ସରକାରଙ୍କ ଆଇନଗତ ପ୍ରକ୍ରିୟା ଜାରି ରହିଛି। ମାଲ୍ୟାଙ୍କ କହିବାନୁସାରେ, ୟୁକେରେ ତାଙ୍କ ଉପରେ ଥିବା ଆଇନଗତ ପ୍ରତିବନ୍ଧକ ଯୋଗୁଁ ସେ ଭାରତ ଫେରିବା ପାଇଁ ସ୍ୱାଧୀନ ନୁହନ୍ତି। ତାଙ୍କ ଏହି ଦାବି ପୁଣିଥରେ ତାଙ୍କ ପ୍ରତ୍ୟାବର୍ତ୍ତନ ଓ ଭାରତରେ ଚାଲିଥିବା ଆଇନଗତ ମାମଲାକୁ ନେଇ ଚର୍ଚ୍ଚା ବଢ଼ାଇଛି।

