Rama Devi University: CLC ପାଇଁ ୧୦ ଟଙ୍କା ବଦଳରେ ୧୦୦ ଟଙ୍କା ଆଦାୟ ଅଭିଯୋଗ, ଟେବୁଲ ତଳେ ନେଉଥିଲେ ଟଙ୍କା; କ୍ୟାସ ନଥିଲେ ରହିଥିଲା ଫୋନ୍ପେ’ର ବିକଳ୍ପ
ଭୁବନେଶ୍ୱର: ବର୍ତ୍ତମାନ ନାମଲେଖା ପ୍ରକ୍ରିୟା ଚାଲିଥିବା ବେଳେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ CLC ପ୍ରଦାନକୁ ନେଇ ଟଙ୍କା ଆଦାୟ ଅଭିଯୋଗ ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, କଲେଜ ଲିଭିଂ ସାର୍ଟିଫିକେଟ୍ ପାଇଁ ନିର୍ଦ୍ଧାରିତ ଫି’ ଦାଖଲ କରିବା ପରେ ମଧ୍ୟ କିଛି ଛାତ୍ରୀଙ୍କଠାରୁ ଅତିରିକ୍ତ ଟଙ୍କା ଦାବି କରାଯାଇଥିଲା। ଜରୁରୀ ଦସ୍ତାବେଜ ହୋଇଥିବାରୁ ଛାତ୍ରୀମାନଙ୍କ ଅସୁବିଧାର ସୁଯୋଗ ନେଇ ଏପରି ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, CLC ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୧୦ ଟଙ୍କା ଫି’ ଧାର୍ଯ୍ୟ ଥିବା ବେଳେ କିଛି କର୍ମଚାରୀ ପ୍ରତି CLC ପିଛା ଅତିରିକ୍ତ ୧୦୦ ଟଙ୍କା ଦାବି କରୁଥିଲେ। ଅଭିଯୋଗକାରୀଙ୍କ କହିବାନୁସାରେ, ଟଙ୍କା ଟେବୁଲ ତଳେ ନିଆଯାଉଥିବା ସହ କ୍ୟାସ୍ ନଥିଲେ UPI ମାଧ୍ୟମରେ ମଧ୍ୟ ଟଙ୍କା ଦେବାକୁ କୁହାଯାଉଥିଲା। ଏନେଇ ଫଟୋ ପ୍ରମାଣ ସହ କୁଳପତିଙ୍କ ନିକଟରେ ଅଭିଯୋଗ ପରେ ଘଟଣାଟି ଗୁରୁତ୍ୱ ପାଇଥିଲା। ଘଟଣାକୁ ନେଇ କୁଳପତି ପ୍ରଫେସର ଜ୍ୟୋସ୍ନା କେବି ରାଉତ୍ ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।
ଅଭିଯୋଗ ପରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ ପଦକ୍ଷେପ ନିଆଯାଇଥିବା ବେଳେ ଆଗକୁ ଏଭଳି ବେଆଇନ ଅର୍ଥ ଆଦାୟରେ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଧରାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ସହ ଚାକିରିରୁ ବିଦା କରାଯିବ ବୋଲି କୁଳପତି ଚେତାବନୀ ଦେଇଥିବା ସୂଚନା ମିଳିଛି। ଘଟଣାଟି ଛାତ୍ରଛାତ୍ରୀଙ୍କ ଠାରୁ ବିଶ୍ୱବିଦ୍ୟାଳୟର ନିର୍ଦ୍ଧାରିତ ଫି’ ବ୍ୟତୀତ ଅନ୍ୟ କୌଣସି ଅର୍ଥ ଆଦାୟ ହେଉଛି କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛି।

