Orangutan Rescue: ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ୍ ନନ୍ଦନକାନନରେ ପହଞ୍ଚିଲେ, କଡ଼ା ସୁରକ୍ଷାରେ ଚାଲିଛି ସ୍ୱାସ୍ଥ୍ୟ ପରୀକ୍ଷା
ଭୁବନେଶ୍ୱର: ବାଲେଶ୍ୱରର ଭୋଗରାଇ ବ୍ଲକ୍ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ଟି ଶିଶୁ ଓରାଙ୍ଗଉଟାନ୍ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ମଙ୍ଗଳବାର ରାତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନଙ୍କୁ ନନ୍ଦନକାନନକୁ ଅଣାଯାଇଥିବା ବେଳେ ସେଠାରେ ସ୍ୱତନ୍ତ୍ର ନିରୀକ୍ଷଣ ଓ ଚିକିତ୍ସା ବ୍ୟବସ୍ଥା କରାଯାଇଛି। ବାଲେଶ୍ୱରର ବିଚିତ୍ରପୁର ଜଙ୍ଗଲ ଅଞ୍ଚଳରୁ ମଙ୍ଗଳବାର ସକାଳେ ଏହି ୫ଟି ଓରାଙ୍ଗଉଟାନ୍କୁ ଉଦ୍ଧାର କରାଯାଇଥିଲା।
ଓରାଙ୍ଗଉଟାନ୍ ଭାରତର ସ୍ୱାଭାବିକ ବନ୍ୟପ୍ରାଣୀ ନୁହେଁ। ସେମାନେ ମୁଖ୍ୟତଃ ଇଣ୍ଡୋନେସିଆ ଓ ମାଲେସିଆର ଅଞ୍ଚଳରେ ଦେଖାଯାଆନ୍ତି। ତେଣୁ ବାଲେଶ୍ୱର ଜଙ୍ଗଲରେ ୫ଟି ଓରାଙ୍ଗଉଟାନ୍ ମିଳିବା ଘଟଣା ବନ ବିଭାଗ ଓ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି। ସେମାନେ କିପରି ଓ କେଉଁଠାରୁ ଓଡ଼ିଶାକୁ ଆସିଲେ, ତାହାର ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ଭାବେ ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ଚୋରାଚାଲାଣର ସମ୍ଭାବନା ନେଇ ତଦନ୍ତକାରୀ ସଂସ୍ଥା ସନ୍ଦେହ କରୁଛନ୍ତି।
ନନ୍ଦନକାନନରେ ପହଞ୍ଚିବା ପରେ ୫ଟି ଓରାଙ୍ଗଉଟାନ୍ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଚିକିତ୍ସା ନିରୀକ୍ଷଣ କରାଯାଉଛି। ସେମାନଙ୍କ ଶାରୀରିକ ସ୍ଥିତି, ଖାଦ୍ୟ ଗ୍ରହଣ ଓ ଆଚରଣ ଉପରେ ବିଶେଷଜ୍ଞ ଦଳ ନଜର ରଖିବେ। ଏହାସହ ସେମାନଙ୍କ ଉତ୍ସ, ଓଡ଼ିଶାରେ ପହଞ୍ଚିବାର ରାସ୍ତା ଏବଂ ଘଟଣା ପଛରେ କୌଣସି ବନ୍ୟପ୍ରାଣୀ ଚୋରାଚାଲାଣ ରାକେଟ୍ର ସମ୍ପୃକ୍ତି ଅଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି। ରାଜ୍ୟ ସରକାର ମଧ୍ୟ Wildlife Crime Control Bureau (WCCB)କୁ ଏହି ଘଟଣାର ତଦନ୍ତ କରିବାକୁ କହିଛନ୍ତି।

