Cuttack Crime: ଷ୍ଟେସନ୍ରେ ଶିଶୁପୁତ୍ରକୁ ଛାଡ଼ି ଟ୍ରେନ୍କୁ ଦଉଡି ପଳାଉଥିଲେ ମା’, ସ୍ଥାନୀୟ ଲୋକେ ଧରି ପୁଲିସ ଜିମାରେ ଦେଲେ
କଟକ: କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନ ନରାଜ ମାର୍ଥାପୁର ରେଳ ଷ୍ଟେସନ୍ରେ ଶିଶୁପୁତ୍ରକୁ ଛାଡ଼ି ଜଣେ ମହିଳା ଟ୍ରେନ୍କୁ ଦୌଡ଼ି ପଳାଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଧରି ପୁଲିସ ଜିମା ଦେଇଛନ୍ତି। ମଙ୍ଗଳବାର ରାତିରେ ଗୁଆହାଟୀ ଇଣ୍ଟରସିଟି ଏକ୍ସପ୍ରେସ ନରାଜ ମାର୍ଥାପୁର ଷ୍ଟେସନ୍ରେ ଅଟକିଥିବା ବେଳେ ଘଟଣାଟି ଘଟିଥିବା ସୂଚନା ମିଳିଛି। ମିଜରାମ ନାମକ ପ୍ରାୟ ୨୨ ବର୍ଷୀୟା ମହିଳା ଟ୍ରେନ୍ରୁ ଶିଶୁପୁତ୍ରକୁ କୋଳରେ ଧରି ପ୍ଲାଟଫର୍ମ ବାହାରକୁ ଆସିଥିଲେ।
ସୂଚନା ଅନୁସାରେ, ମହିଳା ଜଣକ ଶିଶୁକୁ ପ୍ଲାଟଫର୍ମ ବାହାରେ ଥିବା ଏକ ବେଞ୍ଚରେ ଛାଡ଼ି ଦେଇ ପୁଣି ଟ୍ରେନ୍ ବଗି ଆଡ଼କୁ ଦୌଡ଼ିଥିଲେ। ଏହି ସମୟରେ ଶିଶୁଟି କାନ୍ଦିବାରୁ ନିକଟରେ ଥିବା କିଛି ଅଟୋ ଚାଳକଙ୍କ ନଜର ତା’ ଉପରେ ପଡ଼ିଥିଲା। ସେମାନେ ଅନ୍ୟ ସ୍ଥାନୀୟ ଲୋକଙ୍କୁ ଏକାଠି କରି ଟ୍ରେନ୍ ଛାଡ଼ିବା ପୂର୍ବରୁ ମହିଳାଙ୍କୁ ଧରିଥିଲେ। ପରେ ତାଙ୍କୁ ପୁଲିସ ଜିମା ଦିଆଯାଇଥିବା ବେଳେ ଶିଶୁପୁତ୍ରକୁ ମଧ୍ୟ ସୁରକ୍ଷିତ ଭାବେ ରଖାଯାଇଥିଲା।
ଘଟଣାକୁ ନେଇ ମହିଳା ଜଣକ ଶିଶୁକୁ କାହିଁକି ଛାଡ଼ି ଟ୍ରେନ୍କୁ ଫେରିବାକୁ ଚେଷ୍ଟା କରୁଥିଲେ, ସେନେଇ ଏବେ ତଦନ୍ତ ଚାଲିଛି। ମହିଳାଙ୍କ ପରିଚୟ, ଶିଶୁ ସହ ତାଙ୍କ ସମ୍ପର୍କ ଏବଂ ଘଟଣା ପଛର ପ୍ରକୃତ କାରଣ ସମ୍ପର୍କରେ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଶିଶୁଟି ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବାରୁ ବଡ଼ ଅଘଟଣ ଟଳିଛି।

