Delhi PG Collapse: ଡିଇଲିରେ ପାଞ୍ଚ ମହଲା କୋଠା ଭୁଶୁଡିବା ଘଟଣା! ୧୫ ରୁମ୍ରେ ରହୁଥିଲେ ୪୫ ଛାତ୍ର, ବେସମେଣ୍ଟ ମରାମତିକୁ ନେଇ FIRରେ ବଡ଼ ତଥ୍ୟ
ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ପାଞ୍ଚ ମହଲା PG କୋଠା ଭୁଶୁଡ଼ିବା ଘଟଣାରେ ତଦନ୍ତ ଆଗକୁ ବଢ଼ିବା ସହ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣଙ୍କୁ ଧ୍ୱଂସସ୍ତୂପରୁ ଉଦ୍ଧାର କରାଯାଇଥିଲା। ପୁଲିସ ତଦନ୍ତ ଅନୁସାରେ, ପ୍ରାୟ ୫୫ ବର୍ଗ ଗଜ ଜମିରେ ଥିବା ଏହି କୋଠାରେ ପ୍ରାୟ ୧୫ଟି ରୁମ୍ରେ ୪୫ ଜଣ ଛାତ୍ର ରହୁଥିଲେ। ପ୍ରତ୍ୟେକ ରୁମ୍ରେ ପ୍ରାୟ ୩ ଜଣ ଛାତ୍ର ରହୁଥିବା ଏବଂ ପ୍ରତ୍ୟେକଙ୍କଠାରୁ ପ୍ରାୟ ୧୦ ହଜାର ଟଙ୍କା ଭଡ଼ା ନିଆଯାଉଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।
ଘଟଣାର ତଦନ୍ତରେ ବେସମେଣ୍ଟରେ ଚାଲିଥିବା ମରାମତି କାମ ମଧ୍ୟ ଏବେ ଗୁରୁତ୍ୱପୂର୍ଣ୍ଣ ଦିଗ ପାଲଟିଛି। ପୁଲିସ ଅନୁସାରେ, ବେସମେଣ୍ଟରେ ପାଣି ଜମିବା ଓ ସିପେଜ୍ ସମସ୍ୟା ଦୂର କରିବା ପାଇଁ ମରାମତି କାମ ଚାଲିଥିଲା। ଏହି କାମ ଦ୍ୱାରା କୋଠାର ଗଠନ ଦୁର୍ବଳ ହୋଇଥିଲା କି ନାହିଁ, ତାହା ତଦନ୍ତ କରାଯାଉଛି। ଏହାସହ ଅନୁମତି ବିନା ଅତିରିକ୍ତ ନିର୍ମାଣ, ଅନୁମୋଦିତ ନକ୍ସା ନଥିବା ଏବଂ ଅନ୍ୟ ନିର୍ମାଣ ନିୟମ ଉଲ୍ଲଂଘନ ହୋଇଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।
ଅନ୍ୟପକ୍ଷରେ, ଘଟଣା ପରେ କୋଠା ମାଲିକଙ୍କ ପରିବାରର ତିନି ଜଣଙ୍କୁ ପୁଲିସ ଗିରଫ କରିଛି ଏବଂ MCDର ୫ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। କୋଠାଟିର ସୁରକ୍ଷା ଯାଞ୍ଚ, ନିର୍ମାଣ ଅନୁମତି ଓ PG ଭାବେ ବ୍ୟବହାର ପାଇଁ ଆବଶ୍ୟକ ନିୟମ ପାଳନ ହୋଇଥିଲା କି ନାହିଁ, ଏବେ ତାହା ତଦନ୍ତର କେନ୍ଦ୍ରରେ ରହିଛି। ଏହି ଘଟଣା ଦିଲ୍ଲୀର PG ଓ ଛାତ୍ରାବାସଗୁଡ଼ିକର ଗଠନଗତ ସୁରକ୍ଷା ଓ ପ୍ରଶାସନିକ ଯାଞ୍ଚ ବ୍ୟବସ୍ଥାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠାଇଛି।

