Scorpio on Roof: ଚୋରି ଭୟରେ କ୍ରେନ୍ରେ ଛାତ ଉପରେ ଚଢ଼ାଇଲେ ନୂଆ ସ୍କର୍ପିଓ, ଭିଡିଓ ଭାଇରାଲ୍
ବିହାର:ବିହାରର ଗୋପାଳଗଞ୍ଜରେ ଏକ ନୂଆ Mahindra Scorpio Classicକୁ ଚୋରିରୁ ବଞ୍ଚାଇବା ପାଇଁ ମାଲିକ ଆପଣାଇଥିବା ଅଭିନବ ଉପାୟ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ମନୋଜ ଯାଦବ ଇସ୍ରାଏଲ୍ରେ କାମ କରନ୍ତି ଏବଂ ନିକଟରେ ଏକ ନୂଆ ସ୍କର୍ପିଓ କିଣିଥିଲେ। ଗାଡ଼ିର ଦେଖାଶୁଣା ପାଇଁ ରଖିଥିବା ଡ୍ରାଇଭର ଚାକିରି ଛାଡ଼ିବା ପରେ ସେ ବିଦେଶ ଫେରିବା ସମୟରେ ଗାଡ଼ିର ସୁରକ୍ଷାକୁ ନେଇ ପରିବାର ଚିନ୍ତିତ ହୋଇଥିଲେ।
ଏହାପରେ ପରିବାର ପକ୍ଷରୁ ଏକ କ୍ରେନ୍ ଡକାଯାଇ ଦୁଇ ମହଲା ଘରର ଛାତ ଉପରକୁ ସ୍କର୍ପିଓକୁ ଉଠାଇ ରଖାଯାଇଥିଲା। ଭାଇରାଲ୍ ଭିଡିଓରେ କ୍ରେନ୍ ସାହାଯ୍ୟରେ ଗାଡ଼ିକୁ ଧୀରେ ଧୀରେ ଉପରକୁ ଉଠାଇ ଛାତ ଉପରେ ରଖାଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ଅସାଧାରଣ ‘ପାର୍କିଂ’କୁ ନେଇ ସୋସିଆଲ୍ ମିଡିଆରେ ଲୋକେ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।
ଘଟଣାଟି ଚର୍ଚ୍ଚାକୁ ଆସିବା ପରେ Mahindra Groupର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ ମଜାଳିଆ ଢଙ୍ଗରେ ପାର୍କିଂକୁ ପ୍ରଶଂସା କରିଥିବା ବେଳେ ଏତେ ଓଜନର ଗାଡ଼ି ରଖିବା ପାଇଁ ଛାତଟି ପ୍ରସ୍ତୁତ କି ନାହିଁ, ସେନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏଥିସହ ଏଭଳି ଉପାୟ ଘରେ ନିଜେ ପରୀକ୍ଷା ନକରିବାକୁ ସେ ଲୋକଙ୍କୁ ସତର୍କ କରିଛନ୍ତି।

