Tankapani Bridge: ୩୬ ଘଣ୍ଟା ପରେ କୁଆଖାଇରୁ ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର, ବ୍ରିଜ୍ରେ ମିଳିଥିଲା ଅଟୋ ଓ ମୋବାଇଲ୍
ଭୁବନେଶ୍ୱର: ଭୁବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ କୁଆଖାଇ ନଦୀରେ ନିଖୋଜ ଅଟୋ ଚାଳକ ସଞ୍ଜୟ ସ୍ୱାଇଁଙ୍କ ମୃତଦେହ ୩୬ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଟଙ୍କପାଣି ବ୍ରିଜ୍ଠାରୁ ପ୍ରାୟ ୨ କିମି ଦୂର ଲିଙ୍ଗିପୁର ପାର୍ଶ୍ୱରେ ନଦୀରୁ ତାଙ୍କ ମୃତଦେହ ଠାବ କରିଛି ବାଲିଅନ୍ତା ଅଗ୍ନିଶମ ବାହିନୀ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଓ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଯାଇଛି।
ସୂଚନା ଅନୁସାରେ, ସଞ୍ଜୟ ହରଚଣ୍ଡୀ ସାହିର ବାସିନ୍ଦା। ସେପ୍ଟେମ୍ବର ୭ ତାରିଖ ରାତି ପ୍ରାୟ ୧୦ଟାରେ ସେ ଟଙ୍କପାଣି ବ୍ରିଜ୍ରେ ନିଜ ଅଟୋ ରଖିଥିଲେ। ସେଠାରେ ତାଙ୍କ ଚପଲ, ମୋବାଇଲ୍ ଫୋନ୍ ଓ ଗାଡ଼ି ଚାବି ମିଳିବା ପରେ ସେ କୁଆଖାଇ ନଦୀକୁ ଡେଇଁଥିବା ସନ୍ଦେହ କରାଯାଇଥିଲା। ଘଟଣା ପରେ ବାଲିଅନ୍ତା ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀ ସହ ଓଡ୍ରାଫ୍ ଟିମ୍ ନଦୀରେ ଖୋଜାଖୋଜି ଆରମ୍ଭ କରିଥିଲେ।
ପାରିବାରିକ ବିବାଦ ପରେ ସଞ୍ଜୟ ନିଖୋଜ ହୋଇଥିବା ସୂଚନା ମିଳିଛି। ତେବେ ସେ ପ୍ରକୃତରେ କେଉଁ ପରିସ୍ଥିତିରେ ନଦୀକୁ ଡେଇଁଥିଲେ, ସେନେଇ ପୁଲିସ ତଦନ୍ତ ଜାରି ରହିଛି। ମୃତଦେହ ମିଳିବା ପରେ ଘଟଣାର ସମ୍ପୂର୍ଣ୍ଣ ପରିସ୍ଥିତି ସ୍ପଷ୍ଟ ହେବା ନେଇ ପୁଲିସର ତଦନ୍ତ ଉପରେ ନଜର ରହିଛି।

