Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Deogaon Health Centre: ୬ ମାସରେ ୩ ପ୍ରସୂତୀ ଓ ୧୩ ଶିଶୁଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟକେନ୍ଦ୍ରର ଶିଶୁ ସ୍ୱାସ୍ଥ୍ୟ ସେବାକୁ ନେଇ ଉଠିଲା ପ୍ରଶ୍ନ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତୃ ଓ ଶିଶୁ ମୃତ୍ୟୁକୁ ନେଇ ଉଦ୍‌ବେଗ ବଢ଼ିଛି। ଦିଆଯାଇଥିବା ତଥ୍ୟ ଅନୁସାରେ, ୨୦୨୬ ମସିହାର ଗତ ୬ ମାସ ମଧ୍ୟରେ ୩ ଜଣ ପ୍ରସୂତୀଙ୍କ ସହ ୧୩ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ମାର୍ଚ୍ଚରେ ୨, ଜୁନ୍‌ରେ ୩, ଜୁଲାଇରେ ୪ ଓ ଅଗଷ୍ଟରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଜୁନ୍‌, ଅଗଷ୍ଟ ଓ ସେପ୍ଟେମ୍ବରରେ ଜଣେ ଲେଖାଏଁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। ଏପରି ସ୍ଥିତିରେ ଗ୍ରାମାଞ୍ଚଳରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟସେବାର ତଦାରଖକୁ ନେଇ ପ୍ରଶ୍ନ ଉଠିଛି।

ଏହି ମଧ୍ୟରେ ହାତିସରା ଗ୍ରାମର ବର୍ଷାରାଣୀଙ୍କ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଛି। ପରିବାରର କହିବା ଅନୁସାରେ, ଗର୍ଭାବସ୍ଥାରୁ ବର୍ଷା ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସ୍ତ୍ରୀରୋଗ ବିଶେଷଜ୍ଞ ଡା. ରାଜୀବ କୁମାର ପଧାନଙ୍କ ପରାମର୍ଶ ନେଉଥିଲେ। ଅଗଷ୍ଟ ୩ ତାରିଖରେ ପ୍ରସବ ବେଦନା ହେବା ପରେ ଡାକ୍ତରଙ୍କ ସହ ଯୋଗାଯୋଗ ହୋଇନପାରିବାରୁ ପରିବାର ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରସବ ସମୟରେ ପ୍ରବଳ ରକ୍ତସ୍ରାବ ହେବା ପରେ ବର୍ଷାଙ୍କ ମୃତ୍ୟୁ ଘଟିଥିବା ପରିବାର କହିଛି। ଚିକିତ୍ସାରେ ଭୁଲ୍‌ ହୋଇଥିବା ଅଭିଯୋଗ କରି ପରିବାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଅନ୍ୟପକ୍ଷରେ, ଦେଓଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବା ଅଧିକାରୀ ଶିଶୁ ମୃତ୍ୟୁହାର ବଢ଼ିଥିବା କଥା ସ୍ୱୀକାର କରିବା ସହ ଏନେଇ ବୈଠକ ଡାକି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ବର୍ଷାରାଣୀଙ୍କ ମୃତ୍ୟୁ ସମ୍ପର୍କରେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନଠାରୁ ରିପୋର୍ଟ ମଗାଯାଇଥିବା ଏବଂ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ତେବେ ମାତୃ ଓ ଶିଶୁ ମୃତ୍ୟୁର କାରଣ ଚିହ୍ନଟ କରି ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆବଶ୍ୟକ ସୁଧାର ଆଣିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ