Supaul Madrasa: ମିଠା-ସମୋସା ଖାଇ ୧୦ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ, ୩ ଅସୁସ୍ଥ; ତଦନ୍ତ ଆରମ୍ଭ
ବିହାର: ବିହାରର ସୁପୌଲ ଜିଲ୍ଲାର ଏକ ଘରୋଇ ମଦ୍ରାସାରେ ମିଠା ଓ ସମୋସା ଖାଇବା ପରେ ଜଣେ ୧୦ ବର୍ଷୀୟା ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି। ମୃତକ ଛାତ୍ରୀଙ୍କ ପରିଚୟ ଅଲଫିଶା ବୋଲି ଜଣାପଡ଼ିଛି। ସମସ୍ତ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଲଫିଶାଙ୍କ ମୃତ୍ୟୁ ହୋଇଥିଲା।
ମଦ୍ରାସା ପରିଚାଳନା ପକ୍ଷରୁ କୁହାଯାଇଛି ଯେ, ଅଲଫିଶାଙ୍କ ମା’ ସୋମବାର ତାଙ୍କୁ ଦେଖା କରିବାକୁ ଆସିବା ସମୟରେ ମିଠା ଓ ସମୋସା ଆଣିଥିଲେ। ଏହା ଖାଇବା ପରେ ଅଲଫିଶାଙ୍କ ସମେତ ୪ ଜଣ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବା ଜଣାପଡ଼ିଛି। ତେବେ ଅନ୍ୟ ଖାଦ୍ୟ ମଧ୍ୟ ସେମାନେ ଖାଇଥିବାରୁ ଅସୁସ୍ଥତାର ପ୍ରକୃତ କାରଣ କେବଳ ମିଠା କିମ୍ବା ସମୋସା ଥିଲା କି ନାହିଁ, ତାହା ଏବେ ତଦନ୍ତର ବିଷୟ।
ଘଟଣା ପରେ ପୁଲିସ ଓ ଜିଲ୍ଲା ପ୍ରଶାସନ ମଦ୍ରାସାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମଦ୍ରାସାର ପରିଚାଳକ, ଶିକ୍ଷକ ଓ ଅନ୍ୟମାନଙ୍କୁ ପଚରାଉଚରା କରାଯିବା ସହ ଅନୁଷ୍ଠାନର ଦସ୍ତାବିଜ, ଛାତ୍ରୀମାନଙ୍କ ରହିବା ବ୍ୟବସ୍ଥା ଏବଂ ଆବାସିକ ଭାବେ ଛାତ୍ରୀଙ୍କୁ ରଖିବା ପାଇଁ ଅନୁମତି ଥିଲା କି ନାହିଁ, ସେନେଇ ମଧ୍ୟ ଯାଞ୍ଚ ଚାଲିଛି। ପ୍ରାଥମିକ ଭାବେ ଖାଦ୍ୟ ବିଷାକ୍ତତାର ଆଶଙ୍କା କରାଯାଉଥିଲେ ମଧ୍ୟ ମେଡିକାଲ ଯାଞ୍ଚ ଓ ପୁଲିସ ତଦନ୍ତ ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ।

