: ଦିଲ୍ଲୀ ଏୟାରପୋର୍ଟରେ ବନ୍ୟାର ମିଥ୍ୟା ଭିଡିଓ ଭାଇରାଲ୍ ଅଭିଯୋଗ, ୬୩ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ବିରୋଧରେ FIR
ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇ ଭୁଲ ଓ ଭ୍ରମାତ୍ମକ ପୋଷ୍ଟ ଏବଂ ଭିଡିଓ ପ୍ରସାରଣ କରିବା ଅଭିଯୋଗରେ ୬୩ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ବିରୋଧରେ ଏଫ୍ଆଇଆର୍ ଦାଏର ହୋଇଛି। ଦିଲ୍ଲୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ ଲିମିଟେଡ୍ (DIAL) ଦିଲ୍ଲୀ ପୁଲିସକୁ ଏହି ଅଭିଯୋଗ ଦେଇଛି। ଏହି ପୋଷ୍ଟଗୁଡ଼ିକରେ ବିମାନବନ୍ଦରରେ ବନ୍ୟା ପରି ପରିସ୍ଥିତି ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଭଳି ଦାବି କରାଯାଇଥିବା DIAL କହିଛି।
ତେବେ ସେପ୍ଟେମ୍ବର ୪ରେ ପ୍ରବଳ ବର୍ଷା ପରେ ଟର୍ମିନାଲ୍-୩ର ଆଗମନ କ୍ଷେତ୍ରରେ କିଛି ସମୟ ପାଇଁ ପାଣି ଜମିଥିଲା। DIAL ଅନୁସାରେ, ଏହି ପାଣିକୁ ପ୍ରାୟ ୨୦ ମିନିଟ୍ ମଧ୍ୟରେ ସଫା କରାଯାଇଥିଲା ଏବଂ ବିମାନବନ୍ଦରର କାର୍ଯ୍ୟକଳାପ ପ୍ରଭାବିତ ହୋଇନଥିଲା। ଏହି ମଧ୍ୟରେ କିଛି ସୋସିଆଲ ମିଡିଆ ପୋଷ୍ଟରେ ଦିଲ୍ଲୀ ବିମାନବନ୍ଦରର ଭିଡିଓ ବୋଲି ଏକ ପୁରୁଣା ଦୁବାଇ ବିମାନବନ୍ଦରର ଜଳଜମା ଭିଡିଓ ମଧ୍ୟ ପ୍ରସାରଣ କରାଯାଇଥିବା DIAL ଦାବି କରିଛି।
DIAL କହିଛି, ଏଭଳି ଭ୍ରମାତ୍ମକ ସାମଗ୍ରୀ ପ୍ରସାରଣ ଦ୍ୱାରା ଲୋକଙ୍କ ମଧ୍ୟରେ ଅଯଥା ଭୟ ଓ ବିଭ୍ରାନ୍ତି ସୃଷ୍ଟି ହେବା ସହ ବିମାନବନ୍ଦର ଭଳି ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସେବାର ଛବିକୁ କ୍ଷତି ପହଞ୍ଚିପାରେ। ତେଣୁ ଏଭଳି ପୋଷ୍ଟ ଓ ଭିଡିଓ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଛି। ଯାତ୍ରୀମାନେ ବିମାନ ଚଳାଚଳ ସମ୍ପର୍କିତ ସଠିକ୍ ସୂଚନା ପାଇଁ କେବଳ ଅଧିକୃତ ମାଧ୍ୟମ ଉପରେ ଭରସା କରିବାକୁ DIAL ପରାମର୍ଶ ଦେଇଛି।

