Orangutan Mystery: ୫ ଓରାଂଉଟାନ୍କୁ ନେଇ ପଶ୍ଚିମବଙ୍ଗ ସୀମାରେ STFର ଖୋଳତାଡ଼, କଳା ଥାର୍ ଓ CCTV ଫୁଟେଜ୍ରୁ ଖୋଜା ଚାଲିଛି ରୁଟ୍
ଭୁବନେଶ୍ୱର: ବାଲେଶ୍ୱର ଭୋଗରାଇର ବିଚିତ୍ରପୁର ଜଙ୍ଗଲରୁ ୫ଟି ଓରାଂଉଟାନ୍ ଉଦ୍ଧାର ପରେ ଘଟଣାର ରହସ୍ୟ ଖୋଲିବା ପାଇଁ ଏସ୍ଟିଏଫ୍ ତନାଘନା ଆରମ୍ଭ କରିଛି। ଓଡ଼ିଶା ପୁଲିସର ଏସ୍ଟିଏଫ୍ ଟିମ୍ ଭୋଗରାଇ ସହ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଅଞ୍ଚଳରେ ତଥ୍ୟ ସଂଗ୍ରହ କରୁଛି। ସ୍ଥାନୀୟ ପୁଲିସ ଓ ବନ ବିଭାଗର କର୍ମଚାରୀଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ସ୍ଥାନର CCTV ଫୁଟେଜ୍ ଯାଞ୍ଚ କରାଯାଉଛି। ଓରାଂଉଟାନ୍ଗୁଡ଼ିକୁ କିଏ ଆଣିଲା ଏବଂ ସେମାନେ କେଉଁ ରାସ୍ତାରେ ବିଚିତ୍ରପୁରରେ ପହଞ୍ଚିଲେ, ତାହା ଜାଣିବା ଉପରେ ତଦନ୍ତକାରୀଙ୍କ ଫୋକସ୍ ରହିଛି।
ଏହି ତଦନ୍ତରେ ଏକ କଳା ମହିନ୍ଦ୍ରା ଥାର୍ ଗୁରୁତ୍ୱପୂର୍ଣ୍ଣ ସୁରାଗ ଭାବେ ସାମ୍ନାକୁ ଆସିଛି। ଓରାଂଉଟାନ୍ ଠାବ ହେବାର ଗୋଟିଏ ଦିନ ପୂର୍ବରୁ ଅଞ୍ଚଳରେ ଏକ କଳା ଗାଡ଼ି ଯାତାୟାତ କରିଥିବା ନେଇ ସୂଚନା ମିଳିଛି। ଏହାର ଗତିବିଧି CCTVରେ ମଧ୍ୟ କଏଦ ହୋଇଥିବା ରିପୋର୍ଟ ରହିଛି। ତେଣୁ ବିଚିତ୍ରପୁରରୁ ଭୋଗରାଇ, ଜଳେଶ୍ୱର ଓ ସୀମାନ୍ତ ଅଞ୍ଚଳ ଦେଇ ଏହି ଗାଡ଼ିର ଗତିବିଧି ସମ୍ପର୍କରେ ଖୋଳତାଡ଼ କରାଯାଉଛି। ଏହା ପଛରେ ଆନ୍ତର୍ଜାତୀୟ ବନ୍ୟଜନ୍ତୁ ଚାଲାଣ ରାକେଟ୍ର ସମ୍ପୃକ୍ତି ଅଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।
ଅନ୍ୟପଟେ, ଉଦ୍ଧାର ହୋଇଥିବା ୩ଟି ଅଣ୍ଡିରା ଓ ୨ଟି ମାଈ ଓରାଂଉଟାନ୍ଙ୍କୁ ଭୁବନେଶ୍ୱରର ନନ୍ଦନକାନନରେ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ରେ ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ୨୪ ଘଣ୍ଟିଆ ନଜର ରଖାଯାଉଛି। ଓରାଂଉଟାନ୍ ଭାରତର ସ୍ୱାଭାବିକ ବନ୍ୟଜନ୍ତୁ ନୁହନ୍ତି ଏବଂ ଏହି ପ୍ରାଣୀମାନଙ୍କ ଉତ୍ସ ଓ ଭୋଗରାଇ ପହଞ୍ଚିବାର କାରଣ ଜାଣିବା ପାଇଁ ଏସ୍ଟିଏଫ୍ ସହ ୱାଇଲ୍ଡଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ ମଧ୍ୟ ତଦନ୍ତରେ ସାମିଲ ହୋଇଛି।

