Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Love Story: ପ୍ରେମିକାଙ୍କ ଏତଲାରେ ୪ ମାସ ଜେଲ୍‌ ଗଲେ ପ୍ରେମିକ, ଫେରିବା ପରେ ଜିଦ୍‌ ଧରି ବାହା ହେଲେ ରାନୀ

କଟକ: ଇନ୍‌ଷ୍ଟାଗ୍ରାମ୍‌ରୁ ଆରମ୍ଭ ହୋଇଥିବା ପରିଚୟ ଧୀରେ ଧୀରେ ପ୍ରେମ ସମ୍ପର୍କର ରୂପ ନେଇଥିଲା। ହେଲେ ବିବାହ ପୂର୍ବରୁ ଏହି ସମ୍ପର୍କରେ ଆସିଥିଲା ବଡ଼ ଝଡ଼। ପରିବାରର ବିରୋଧ ପରେ ମାମଲା ଥାନାରେ ପହଞ୍ଚିଥିଲା ଏବଂ ପ୍ରେମିକଙ୍କୁ ପ୍ରାୟ ୪ ମାସ ଜେଲ୍‌ରେ ରହିବାକୁ ପଡ଼ିଥିଲା। କିନ୍ତୁ ଜାମିନରେ ଫେରିବା ପରେ ବଦଳିଗଲା ପୂରା କାହାଣୀ। ପ୍ରେମିକଙ୍କ ଜେଲ୍‌ ଯିବାକୁ ନେଇ ପଶ୍ଚାତାପ କରିଥିବା ପ୍ରେମିକା ଶେଷରେ ତାଙ୍କୁ ହିଁ ବିବାହ କରିବାକୁ ଜିଦ୍‌ ଧରିଥିଲେ। ଏଭଳି ଏକ ନିଆରା ପ୍ରେମ କାହାଣୀ କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ବୋଦାମୁଣ୍ଡାଇ ଅଞ୍ଚଳର ଦେବାଶିଷ ପାତ୍ର ଓ ଦେବଗଡ଼ ଜିଲ୍ଲା ରିଆମାଳ ଅଞ୍ଚଳର ରାନୀ ପ୍ରଧାନଙ୍କୁ ନେଇ ଏହି କାହାଣୀ।

ସୂଚନା ଅନୁସାରେ, ପ୍ରାୟ ୪ ବର୍ଷ ତଳେ ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ଦେବାଶିଷ ଓ ରାନୀଙ୍କ ପରିଚୟ ହୋଇଥିଲା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଏହି ସମ୍ପର୍କ ବିଷୟରେ ରାନୀଙ୍କ ପରିବାର ଜାଣିବା ପରେ ବିରୋଧ କରିଥିଲେ। ଉଭୟଙ୍କ ଅନ୍ତରଙ୍ଗ ଫଟୋକୁ ନେଇ ମଧ୍ୟ ପରିବାରରେ ଅଶାନ୍ତି ଦେଖାଦେଇଥିବା କୁହାଯାଇଛି। ଗତ ଏପ୍ରିଲ ୨୪ରେ ରାନୀ ରିଆମାଳ ଥାନାରେ ଦେବାଶିଷଙ୍କ ବିରୋଧରେ ଏତଲା ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଏପ୍ରିଲ ୨୫ରେ ଦେବାଶିଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରାୟ ୪ ମାସ ଜେଲ୍‌ରେ ରହିବା ପରେ ସେ ନିକଟରେ ଜାମିନରେ ଘରକୁ ଫେରିଥିଲେ।

ଦେବାଶିଷ ଘରକୁ ଫେରିଥିବା ଖବର ପାଇ ରାନୀ ସାଲେପୁର ଆସି ତାଙ୍କୁ ବିବାହ କରିବାକୁ ଜିଦ୍‌ ଧରିଥିବା କୁହାଯାଇଛି। ପରିବାରର ଚାପରେ ଦେବାଶିଷଙ୍କ ବିରୋଧରେ ଏତଲା ଦେବା ପରେ ସେ ଏହାକୁ ନେଇ ପଶ୍ଚାତାପ କରୁଥିଲେ ବୋଲି ଜଣାପଡ଼ିଛି। ଶେଷରେ ଉଭୟଙ୍କ ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇଥିଲା। ଦେବାଶିଷଙ୍କ ପରିବାର ପକ୍ଷରୁ ସାଲେପୁରର ଅନନ୍ତ ଗୋପାଳ ମନ୍ଦିରରେ ଉଭୟଙ୍କ ବିବାହ ସମ୍ପନ୍ନ କରାଯାଇଥିଲା। ପରେ ସାଲେପୁର କୋର୍ଟରେ ମଧ୍ୟ ବିବାହକୁ ଆଇନଗତ ଭାବେ ପଞ୍ଜୀକରଣ କରାଯାଇଥିବା ଜଣାପଡ଼ିଛି। ଜେଲ୍‌, ମାମଲା ଓ ପରିବାରର ବିରୋଧ ପରେ ଶେଷରେ ଉଭୟଙ୍କ ବିବାହ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories