UP ଅଙ୍ଗନବାଡି: ଅଙ୍ଗନୱାଡ଼ି କର୍ମୀଙ୍କ ୧୨ ହଜାରକୁ ଦରମା ବୃଦ୍ଧି , ସହାୟିକାଙ୍କ ୬ ହଜାର; ମିଳିବ ୫ ଲକ୍ଷର କ୍ୟାସଲେସ୍ ଚିକିତ୍ସା ସୁବିଧା
ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶର ୨.୯୧ ଲକ୍ଷ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଅଙ୍ଗନୱାଡ଼ି କର୍ମୀଙ୍କ ମାସିକ ମାନଦେୟ ୮ ହଜାରରୁ ବଢ଼ି ୧୨ ହଜାର ଟଙ୍କା ହେବାକୁ ଥିବାବେଳେ ସହାୟିକାଙ୍କ ମାନଦେୟ ୪ ହଜାରରୁ ବଢ଼ି ୬ ହଜାର ଟଙ୍କା ହେବ। ଏଥିସହ କର୍ମୀ, ସହାୟିକା ଓ ସେମାନଙ୍କ ପରିବାରକୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ।
ଅଯୋଧ୍ୟାରେ ICDS ଅଧୀନରେ ଆୟୋଜିତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କ ସମ୍ମାନ ସମାରୋହରେ ଯୋଗଦେଇ ଯୋଗୀ ଏହି ଘୋଷଣା କରିଛନ୍ତି। ଏଣିକି ଦୁଇଟି ବଦଳରେ ତିନୋଟି ଶାଢ଼ୀ ମିଳିବ। ଏହାସହ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଅଧିକ ସ୍ମାର୍ଟ କରିବା ପାଇଁ ସ୍ମାର୍ଟଫୋନ୍ ଏବଂ ରିଅଲ୍-ଟାଇମ୍ ଡାଟା ବ୍ୟବସ୍ଥାର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଅଯୋଧ୍ୟାର କାର୍ଯ୍ୟକ୍ରମରେ ପ୍ରାୟ ୧୨ ହଜାର କର୍ମୀ ଓ ସହାୟିକା ଉପସ୍ଥିତ ଥିବାବେଳେ ରାଜ୍ୟର ୭୫ଟି ଜିଲ୍ଲାର କାର୍ଯ୍ୟକ୍ରମରେ ମଧ୍ୟ ଅନେକ ଜନପ୍ରତିନିଧି ଯୋଡ଼ି ହୋଇଥିଲେ।
ଯୋଗୀ ଆଦିତ୍ୟନାଥ କହିଛନ୍ତି, ୨୦୧୭ରେ ବିଜେପି ସରକାର ଗଠନ ସମୟରେ ଅଙ୍ଗନୱାଡ଼ି କର୍ମୀଙ୍କୁ ୩ ହଜାର ଟଙ୍କା ମାନଦେୟ ମିଳୁଥିଲା। ପରେ ଏହାକୁ କାର୍ଯ୍ୟଦକ୍ଷତା ଆଧାରିତ ବ୍ୟବସ୍ଥା ସହ ଯୋଡ଼ି ୮ ହଜାର ଟଙ୍କା କରାଯାଇଥିଲା ଏବଂ ଏବେ ଏହା ୧୨ ହଜାର ଟଙ୍କା ହେବ। ସେହିପରି ସହାୟିକାଙ୍କ ମାନଦେୟ ମଧ୍ୟ ୧,୫୦୦ରୁ ପ୍ରଥମେ ୪ ହଜାର ଏବଂ ଏବେ ୬ ହଜାର ଟଙ୍କା କରାଯାଉଛି। ଅଙ୍ଗନୱାଡ଼ି କର୍ମୀଙ୍କ ଡିଜିଟାଲ୍ କାର୍ଯ୍ୟକୁ ସହଜ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ୧.୨୮ ଲକ୍ଷ ସ୍ମାର୍ଟଫୋନ୍ ଉପଲବ୍ଧ କରାଯାଇଛି। ସରକାରୀ ଆଦେଶ ଅନୁଯାୟୀ, ବର୍ଦ୍ଧିତ ମାନଦେୟ ସେପ୍ଟେମ୍ବର ୨୦୨୬ରୁ ଲାଗୁ ହୋଇ ଅକ୍ଟୋବରରେ ପ୍ରଦାନ କରାଯିବ।

