Assam Student Death: ଛାତ୍ରୀଙ୍କୁ ବାରମ୍ବାର ପେନ୍କିଲର୍ ଦିଆଯାଉଥିଲା ଅଭିଯୋଗ, ମୃତ୍ୟୁ ପରେ ତଦନ୍ତ ଦାବି
ଆସାମ: ଆସାମର ସୋନାପୁରସ୍ଥିତ ଲକ୍ଷ୍ମୀବାଇ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ଏଜୁକେସନ୍ (LNIPE)ର ଛାତ୍ରୀ ଶ୍ରୁତି ଉପାଧ୍ୟାୟଙ୍କ ମୃତ୍ୟୁକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଅସୁସ୍ଥ ହେବା ପରେ ତାଙ୍କୁ ଠିକ୍ ଚିକିତ୍ସା ମିଳିନଥିବା ଅଭିଯୋଗ କରି ଛାତ୍ରଛାତ୍ରୀ ତଦନ୍ତ ଦାବିରେ ବିକ୍ଷୋଭ କରିଛନ୍ତି। ଶ୍ରୁତିଙ୍କ ରୁମ୍ମେଟ୍ ଶ୍ୱେତାଙ୍କ ଅଭିଯୋଗ ଅନୁସାରେ, ଶ୍ରୁତି ଦୀର୍ଘଦିନ ଧରି ଶରୀରରେ ଯନ୍ତ୍ରଣା ଭୋଗୁଥିଲେ ଏବଂ କ୍ୟାମ୍ପସ୍ ଡାକ୍ତର ତାଙ୍କୁ ବାରମ୍ବାର ପେନ୍କିଲର୍ ଦେଉଥିଲେ। ତଥାପି ତାଙ୍କ ଯନ୍ତ୍ରଣା କମିନଥିଲା ବୋଲି ଶ୍ୱେତା କହିଛନ୍ତି।
ଶ୍ରୁତିଙ୍କ ଅସୁସ୍ଥତା ବଢ଼ିବା ପରେ ତାଙ୍କୁ ପ୍ରଥମେ ସୋନାପୁର ହସ୍ପିଟାଲ୍ ଏବଂ ପରେ ଗୁଆହାଟୀର ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ଅନୁସାରେ, ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଥିଲା ଏବଂ ପରେ ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ଶ୍ରୁତିଙ୍କ ମୃତ୍ୟୁର ପ୍ରକୃତ ଚିକିତ୍ସାଗତ କାରଣ ଏପର୍ଯ୍ୟନ୍ତ ଅଧିକାରିକ ଭାବେ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ଚିକିତ୍ସା ପ୍ରକ୍ରିୟା, ହସ୍ପିଟାଲ୍କୁ ନେବାରେ ବିଳମ୍ବ ହୋଇଥିଲା କି ନାହିଁ ଏବଂ କ୍ୟାମ୍ପସ୍ରେ ଜରୁରୀକାଳୀନ ଚିକିତ୍ସା ସୁବିଧା କେତେ ଉପଲବ୍ଧ ଥିଲା, ସେନେଇ ଛାତ୍ରଛାତ୍ରୀ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ଅନ୍ୟପକ୍ଷରେ, ଶ୍ରୁତିଙ୍କ ମା’ ମଧ୍ୟ ଝିଅର ଶେଷ ସମୟରେ ତାଙ୍କୁ ଠିକ୍ ଭାବେ ସୂଚନା ଦିଆଯାଇନଥିବା ଅଭିଯୋଗ କରିଛନ୍ତି। ଶ୍ରୁତି ନିଜେ ହସ୍ପିଟାଲ୍ରୁ ଫୋନ୍ କରି ଅସୁସ୍ଥ ଥିବା କହିଥିଲେ ବୋଲି ମା’ ଦାବି କରିଛନ୍ତି। ଘଟଣା ପରେ LNIPEର ମୁଖ୍ୟ ୱାର୍ଡେନ୍ ମର୍ଲିନ୍ ଗୋଗୋଇଙ୍କୁ ନିଲମ୍ବିତ କରାଯାଇଛି। ଡିନ୍ ଶଙ୍କରଜ୍ୟୋତି ବାସୁମତାରୀଙ୍କ କହିବାନୁସାରେ, ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦିଆଯାଇଛି ଏବଂ ଶବ ବ୍ୟବଚ୍ଛେଦ ମଧ୍ୟ କରାଯାଇଛି। ଛାତ୍ରୀଙ୍କ ପରିବାର ପକ୍ଷରୁ ଉଠାଯାଇଥିବା ଅଭିଯୋଗ ଉପରେ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

