Mobile Network: ନେଟୱର୍କ ନଆସିବାରୁ ତାତିଲେ ଗାଁ ଲୋକ, ଟେକ୍ନିସିଆନଙ୍କୁ ଟାୱାରରେ ବାନ୍ଧିଦେଲେ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାର ହରଦୌଲି ଗାଁରେ ଖରାପ ମୋବାଇଲ୍ ନେଟୱର୍କକୁ ନେଇ ଏକ ଅଜବ ପ୍ରତିବାଦ ସାମ୍ନାକୁ ଆସିଛି। ଗାଁରେ ମୋବାଇଲ୍ ଟାୱାର ଥିଲେ ମଧ୍ୟ ଦୀର୍ଘଦିନ ଧରି ନେଟୱର୍କ ସମସ୍ୟା ଲାଗି ରହିଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଗୁରୁବାର ଟାୱାରରେ କାମ କରିବାକୁ ଆସିଥିବା ଜଣେ ଟେକ୍ନିସିଆନଙ୍କୁ ଗାଁ ଲୋକେ ମୋବାଇଲ୍ ଟାୱାରରେ ବାନ୍ଧି ଦେଇଥିଲେ। ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ଗାଁବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ଦୁଇ ବର୍ଷ ଧରି ଅଞ୍ଚଳରେ ମୋବାଇଲ୍ ନେଟୱର୍କ ଠିକ୍ ଭାବେ ଆସୁନଥିଲା। ଏପରିକି 5G ସେବା ପାଇଁ ପ୍ରିପେଡ୍ ରିଚାର୍ଜ କରିବା ସତ୍ତ୍ୱେ ଇଣ୍ଟରନେଟ୍ ବ୍ୟବହାର ଓ ଫୋନ୍ କଲ୍ କରିବାରେ ଲୋକେ ସମସ୍ୟା ଭୋଗୁଥିଲେ। କମ୍ପାନୀକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବାରୁ ଟେକ୍ନିସିଆନ ଗାଁକୁ ଆସିବା ପରେ ଲୋକଙ୍କ ଅସନ୍ତୋଷ ବଢ଼ିଯାଇଥିଲା। ନେଟୱର୍କ ସମସ୍ୟା ଠିକ୍ ନହେବା ପର୍ଯ୍ୟନ୍ତ ଟେକ୍ନିସିଆନଙ୍କୁ ଛାଡ଼ିବେ ନାହିଁ ବୋଲି ଗାଁବାସୀ କହିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ସୂଚନା ପାଇ ବିନ୍ଦକି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟେକ୍ନିସିଆନଙ୍କୁ ମୁକ୍ତ କରିଥିଲା। ବିନ୍ଦକି ଥାନା ଇନ୍ଚାର୍ଜ ଶୈଳେଶ ସିଂହ କହିଛନ୍ତି ଯେ, ମୋବାଇଲ୍ ନେଟୱର୍କ ସମସ୍ୟାକୁ ନେଇ ଗାଁବାସୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ତଦନ୍ତରୁ ଜଣାପଡ଼ିଛି। ଟେକ୍ନିସିଆନଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ଭାଇରାଲ୍ ଭିଡିଓ ଓ ଘଟଣାର ପରିସ୍ଥିତି ଯାଞ୍ଚ କରି ପୋଲିସ ଘଟଣାରେ ସମ୍ପୃକ୍ତ ଲୋକଙ୍କ ବିଷୟରେ ତଦନ୍ତ କରୁଛି।

