Punjab Police: ମୋଲ୍ଦୋଭାରୁ ଭାରତ ଫେରିଲା ଜଗ୍ଗୁ ଭଗବାନପୁରିଆ ଗ୍ୟାଙ୍ଗର ଅଭିଯୁକ୍ତ, ୨୧ ମାମଲାରେ ଥିଲା ୱାଣ୍ଟେଡ୍
ପଞ୍ଜାବ: ପଞ୍ଜାବ ପୁଲିସକୁ ଅନ୍ତର୍ଜାତୀୟ ଅପରାଧ ବିରୋଧରେ ବଡ଼ ସଫଳତା ମିଳିଛି। ଜଗ୍ଗୁ ଭଗବାନପୁରିଆ ଗ୍ୟାଙ୍ଗ ସହ ଜଡ଼ିତ ଅଭିଯୁକ୍ତ ଅମୃତପାଲ ସିଂହ ଓରଫ ଅମୃତ ଡାଲମଙ୍କୁ ମୋଲ୍ଦୋଭାରୁ ଭାରତକୁ ଅଣାଯାଇଛି। ପୁଲିସର ସୂଚନା ଅନୁଯାୟୀ, ସେ ୨୧ଟି ଅପରାଧିକ ମାମଲାରେ ୱାଣ୍ଟେଡ୍ ଥିଲା। ଏହି ମାମଲାଗୁଡ଼ିକ ମଧ୍ୟରେ ହତ୍ୟା, ୟୁଏପିଏ, ଅସ୍ତ୍ର ଆଇନ ଏବଂ ବିସ୍ଫୋରକ ଆଇନ ସମ୍ପର୍କିତ ମାମଲା ରହିଛି।
ଅଭିଯୁକ୍ତଙ୍କୁ ଧରିବା ପାଇଁ ପଞ୍ଜାବ ପୁଲିସ ପକ୍ଷରୁ ପ୍ରାୟ ୬ ମାସ ଧରି ‘ଅପରେସନ ଇଷ୍ଟର୍ଣ୍ଣ ରିଚ୍’ ଚାଲିଥିଲା। ଏହି ଅଭିଯାନ ଅଧୀନରେ ମୋଲ୍ଦୋଭାରେ ଅମୃତପାଲଙ୍କୁ ଚିହ୍ନଟ କରି ଧରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ତାଙ୍କୁ ଭାରତ ଫେରାଇ ଆଣିବା ପ୍ରକ୍ରିୟା ପରେ ଏବେ ସେ ପଞ୍ଜାବ ପୁଲିସ ହେପାଜତରେ ଅଛନ୍ତି।
ପୁଲିସର ସୂଚନା ଅନୁସାରେ, ଅମୃତପାଲଙ୍କ ବିରୋଧରେ ଥିବା ମାମଲାଗୁଡ଼ିକର ତଦନ୍ତ ଆଗକୁ ବଢ଼ିବ। ହତ୍ୟାଠାରୁ ଆରମ୍ଭ କରି ଅସ୍ତ୍ର ଓ ବିସ୍ଫୋରକ ସମ୍ପର୍କିତ ମାମଲାରେ ତାଙ୍କ ଭୂମିକା ନେଇ ପୁଲିସ ଅଧିକ ତଦନ୍ତ କରିବ। ଅନ୍ତର୍ଜାତୀୟ ସ୍ତରରେ ଅପରାଧୀଙ୍କୁ ଚିହ୍ନଟ କରି ଭାରତକୁ ଫେରାଇ ଆଣିବାରେ ଏହି ଅପରେସନକୁ ପଞ୍ଜାବ ପୁଲିସର ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ଦେଖାଯାଉଛି।

