MPSC Paper Leak: ଡ୍ରଗ୍ ଇନ୍ସପେକ୍ଟର ପରୀକ୍ଷା ପେପର ଲିକ୍କୁ ନେଇ ତେଜିଲା ଆନ୍ଦୋଳନ, MPSC ସଚିବଙ୍କ ମୁହଁରେ କାଳି ମାଡ଼ିଲେ କର୍ମୀ
ମହାରାଷ୍ଟ୍ର: ମହାରାଷ୍ଟ୍ରରେ MPSC ଡ୍ରଗ୍ ଇନ୍ସପେକ୍ଟର ପରୀକ୍ଷା ପେପର ଲିକ୍ ମାମଲାକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ପୁଣେ, କୋଲହାପୁର ଓ ଛତ୍ରପତି ସମ୍ଭାଜୀନଗରରେ ଏହି ଘଟଣାକୁ ନେଇ ବିରୋଧ ପ୍ରଦର୍ଶନ ଚାଲିଥିବାବେଳେ ନଭି ମୁମ୍ବାଇସ୍ଥିତ MPSC କାର୍ଯ୍ୟାଳୟରେ ଏକ ଅପ୍ରୀତିକର ଘଟଣା ସାମ୍ନାକୁ ଆସିଛି।
ଅଭିଯୋଗ ଅନୁସାରେ, ସମ୍ଭାଜୀ ବ୍ରିଗେଡ୍ର କିଛି କର୍ମୀ MPSC କାର୍ଯ୍ୟାଳୟରେ ପହଞ୍ଚି ସଚିବ ମହେନ୍ଦ୍ର ହରପାଲକରଙ୍କ ମୁହଁରେ କାଳି ମାଡ଼ିଥିଲେ। ପରୀକ୍ଷା ପେପର ଲିକ୍ ଘଟଣାକୁ ନେଇ ଛାତ୍ରମାନେ ଏବେ କମିଶନର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ଘଟଣାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରହିଛି।
ଛାତ୍ରମାନଙ୍କ ଦାବି ହେଉଛି, ପେପର ଲିକ୍ ମାମଲାର ନୈତିକ ଦାୟିତ୍ୱ ନେଇ MPSC ଅଧ୍ୟକ୍ଷ ଓ ସଚିବ ଇସ୍ତଫା ଦିଅନ୍ତୁ। ଏହି ଘଟଣାରେ କମିଶନର କିଛି ଭିତରର ଲୋକଙ୍କ ସମ୍ପୃକ୍ତି ଥାଇପାରେ ବୋଲି ମଧ୍ୟ ଛାତ୍ରମାନେ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଏହି ଅଭିଯୋଗର ସତ୍ୟତା ଓ ପେପର ଲିକ୍ ପଛରେ କିଏ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

