Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

India-China Flight: ୬ ବର୍ଷ ପରେ ପୁଣି ଥରେ ଦିଲ୍ଲୀ-ଗୁଆଙ୍ଗଝୁକୁ ଉଡିବ ବିମାନ, ସେପ୍ଟେମ୍ବର ୨୧ରୁ ଆରମ୍ଭ ହେବ ସେବା

ନୂଆଦିଲ୍ଲୀ: ଭାରତ ଓ ଚୀନ୍ ମଧ୍ୟରେ ଆକାଶପଥରେ ପୁଣି ଯୋଡ଼ିହେବ ସିଧାସଳଖ ସଂଯୋଗ। ପ୍ରାୟ ୬ ବର୍ଷର ବ୍ୟବଧାନ ପରେ ଗୁଆଙ୍ଗଝୁ-ନୂଆଦିଲ୍ଲୀ ମଧ୍ୟରେ ପୁଣି ନିୟମିତ ଯାତ୍ରୀ ବିମାନ ସେବା ଆରମ୍ଭ କରିବାକୁ ଚାଇନା ସାଉଦର୍ଣ୍ଣ ଏୟାରଲାଇନ୍ସ ଘୋଷଣା କରିଛି। ସେପ୍ଟେମ୍ବର ୨୧ରୁ ଏହି ରୁଟ୍‌ରେ ବିମାନ ଚଳାଚଳ ଆରମ୍ଭ ହେବ। ଏହା ଫଳରେ ଦୁଇ ଦେଶ ମଧ୍ୟରେ ଯାତ୍ରୀ ଓ ବ୍ୟବସାୟିକ ସଂଯୋଗ ଆହୁରି ସୁଗମ ହେବା ଆଶା କରାଯାଉଛି।

ଚୀନ୍‌ର ଏୟାରଲାଇନ୍ସ କହିଛି ଯେ, ଗୁଆଙ୍ଗଝୁ-ଦିଲ୍ଲୀ ସେବା ପୁନଃଆରମ୍ଭ ହେବା ପରେ ଦକ୍ଷିଣ ଏସିଆର ୮ଟି ରାଉଣ୍ଡ-ଟ୍ରିପ୍ ରୁଟ୍‌ରେ ପ୍ରତି ସପ୍ତାହରେ ୧୦୦ରୁ ଅଧିକ ବିମାନ ଚଳାଚଳ କରିବ। ଗତ କିଛି ମାସ ହେଲା ଭାରତ-ଚୀନ୍ ମଧ୍ୟରେ ବିମାନ ସଂଯୋଗ ଧୀରେଧୀରେ ସୁଧୁରୁଛି। ଏପ୍ରିଲରେ ଏୟାର ଚାଇନା ବେଜିଂ-ଦିଲ୍ଲୀ ସେବା ଆରମ୍ଭ କରିଥିବାବେଳେ, ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସ କୁନମିଂ-କୋଲକାତା ସିଧା ବିମାନ ସେବା ମଧ୍ୟ ପୁନଃଆରମ୍ଭ କରିଥିଲା। ଭାରତୀୟ ବିମାନ କମ୍ପାନି ଇଣ୍ଡିଗୋ ମଧ୍ୟ କୋଲକାତା-ସାଂଘାଇ ମଧ୍ୟରେ ଦୈନିକ ନନ୍-ଷ୍ଟପ୍ ବିମାନ ଚଳାଚଳ ଆରମ୍ଭ କରିଛି।

ଏହି ବିମାନ ସଂଯୋଗ ପୁନଃସ୍ଥାପନକୁ ଦୁଇ ଦେଶର ସମ୍ପର୍କରେ ଧୀରେଧୀରେ ଆସୁଥିବା ସୁଧାରର ଏକ ସଙ୍କେତ ଭାବେ ମଧ୍ୟ ଦେଖାଯାଉଛି। ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ଗସ୍ତ ପୂର୍ବରୁ ଏହି ଘୋଷଣା ଆସିଛି। ରିପୋର୍ଟ ଅନୁସାରେ, ସି ଜିନପିଙ୍ଗ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି। ବାଣିଜ୍ୟ, ଅର୍ଥନୀତି, ପ୍ରଯୁକ୍ତି ଓ ବିଶ୍ୱ ଶାସନ ଭଳି କ୍ଷେତ୍ରରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସହଯୋଗ ବଢ଼ାଇବା ନେଇ ମଧ୍ୟ ଆଲୋଚନା ହେବାର ସମ୍ଭାବନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ