Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

BRICS Summit 2026: ଦିଲ୍ଲୀରେ ମୋଦି-ପୁଟିନ୍-ଜିନପିଙ୍ଗ ଏକାଠି, ଫଟୋ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ଆରମ୍ଭ ହୋଇଥିବା BRICS Summit 2026କୁ ନେଇ ବିଶ୍ୱ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଓ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ହାତ ଧରିଥିବା ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋରେ ଇରାନ୍‌ ରାଷ୍ଟ୍ରପତି ମାସୁଦ ପେଜେଶକିଆନ୍‌ ଓ ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ପ୍ରବୋୱୋ ସୁବିଆଣ୍ଟୋ ମଧ୍ୟ ନଜର ଆସିଛନ୍ତି। ଫଟୋ ସେୟାର କରି ମୋଦି ଦିଲ୍ଲୀରେ BRICS ସମ୍ମିଳନୀ ଆରମ୍ଭ ହୋଇଥିବା ଉଲ୍ଲେଖ କରିଛନ୍ତି।

ସମ୍ମିଳନୀର ପ୍ରଥମ ଅଧିବେଶନରେ ମୋଦି ବିଶ୍ୱସ୍ତରୀୟ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଗ୍ଲୋବାଲ୍ ସାଉଥ୍‌ ଦେଶଗୁଡ଼ିକୁ ଅଧିକ ଭୂମିକା ଦେବା ଉପରେ ଜୋର ଦେଇଛନ୍ତି। ଗ୍ଲୋବାଲ୍ ସାଉଥ୍‌ର ନୀତି ନିର୍ମାତାମାନଙ୍କୁ ଅନ୍ତର୍ଜାତୀୟ ଆଲୋଚନାରେ ଅଧିକ ପ୍ରଭାବଶାଳୀ ଭାବେ ଭାଗ ନେବା ପାଇଁ ଆବଶ୍ୟକ ଦକ୍ଷତା ଓ ପ୍ରଶିକ୍ଷଣ ଯୋଗାଇବାକୁ ଭାରତ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏହା ସହ ତୀବ୍ର ଆଲୋଚନା ପରେ BRICS ନେତାମାନେ ଦିଲ୍ଲୀ ଘୋଷଣାପତ୍ର ଉପରେ ସହମତି ପ୍ରକାଶ କରିଛନ୍ତି। ବିଭିନ୍ନ ବିବାଦୀୟ ପ୍ରସଙ୍ଗରେ ମତଭେଦ ଥିଲେ ମଧ୍ୟ ଆଲୋଚନା ମାଧ୍ୟମରେ ସହମତି ହାସଲ ହୋଇଥିବା କୁହାଯାଇଛି।

ଏହି ସମ୍ମିଳନୀ ଅବସରରେ ମୋଦି ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ରାଜନୈତିକ, ଅର୍ଥନୈତିକ, ପ୍ରତିରକ୍ଷା, ଶକ୍ତି, ମହାକାଶ, ଦକ୍ଷତା ବିକାଶ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା ହୋଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ କଳା ସାଗର ଅଞ୍ଚଳର ସଂଘର୍ଷ ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିବା ବେଳେ ଏପରି ବିବାଦର ସମାଧାନ ପାଇଁ ଆଲୋଚନା ଓ କୂଟନୀତି ହିଁ ଏକମାତ୍ର ମାର୍ଗ ବୋଲି ମୋଦି କହିଛନ୍ତି। ଅନ୍ୟପକ୍ଷରେ ମୋଦି-ଜିନପିଙ୍ଗ ଦ୍ୱିପାକ୍ଷିକ ଆଲୋଚନାରେ LAC ସ୍ଥିତି, ବାଣିଜ୍ୟ, ନିବେଶ ଓ ଅର୍ଥନୈତିକ ସମ୍ପର୍କ ସହ ସୀମା ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବା ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories