Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Esha Singh: ଏସିଆନ୍ ଗେମ୍ସରେ ଭାରତକୁ ରୌପ୍ୟ ଦେଲେ ଇଶା ସିଂହ, ୨୫ ମିଟର ପିସ୍ତଲରେ ଜିତିଲେ ପଦକ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସରେ ଭାରତୀୟ ଶୁଟର ଇଶା ସିଂହ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି। ସୋମବାର ମହିଳା ୨୫ ମିଟର ପିସ୍ତଲ ଇଭେଣ୍ଟର ରୋମାଞ୍ଚକର ଫାଇନାଲରେ ଇଶା ଚୀନ୍‌ର ଶୁଟର ଜିଆଓ ଜିଆରୁଇଜୁଆନଙ୍କଠାରୁ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି। ୨୧ ବର୍ଷୀୟା ଇଶା ହାଇଦ୍ରାବାଦର ଶୁଟର ହୋଇଥିବା ବେଳେ ଫାଇନାଲରେ ତାଙ୍କର ଲଢ଼େଇ ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା।

ଫାଇନାଲରେ ଇଶା ଏକ ସମୟରେ ଚତୁର୍ଥ ସ୍ଥାନରେ ରହି ପଦକ ଦୌଡ଼ରୁ ବାଦ୍ ପଡ଼ିବା ଭଳି ସ୍ଥିତିରେ ଥିଲେ। କିନ୍ତୁ ଶେଷ ସିରିଜରେ ପାଞ୍ଚଟି ଯାକ ଶଟ୍‌ରେ ସଠିକ୍ ନିଶାନା ଲଗାଇ ସେ ପୁଣି ପ୍ରତିଯୋଗିତାକୁ ଫେରିଥିଲେ। ଏହାପରେ ଉତ୍ତର କୋରିଆର କିମ୍ ହ୍ୟୁନ୍ ସୁକ୍‌ଙ୍କ ବିରୋଧରେ ରୋମାଞ୍ଚକର ଶୁଟ୍‌ଅଫ୍‌ରେ ବିଜୟୀ ହୋଇ ଇଶା ରୌପ୍ୟ ପଦକ ନିଶ୍ଚିତ କରିଥିଲେ।

ସ୍ୱର୍ଣ୍ଣ ପଦକ ପାଇଁ ଇଶା ଓ ଚୀନ୍‌ର ଜିଆଓଙ୍କ ସ୍କୋର ୩୮-୩୮ରେ ସମାନ ରହିଥିଲା। ଫଳରେ ସ୍ୱର୍ଣ୍ଣ ପଦକ ପାଇଁ ଶୁଟ୍‌ଅଫ୍‌ ହୋଇଥିଲା। ପୁଣି ଥରେ ସ୍କୋର ସମାନ ହେବା ପରେ ଟାଇବ୍ରେକର ହୋଇଥିଲା। ଶେଷରେ ଜିଆଓ ୩-୨ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ଶେଷ ପର୍ଯ୍ୟନ୍ତ ଲଢ଼ି ଇଶା ରୌପ୍ୟ ପଦକ ଜିତି ଭାରତର ପଦକ ତାଲିକାରେ ଆଉ ଏକ ପଦକ ଯୋଡ଼ିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ