Odisha Weather Update: ଦକ୍ଷିଣ ଆଣ୍ଡାମାନ ସାଗରରେ Cyclonic Circulation, ୧୩ରେ Low Pressure ସମ୍ଭାବନା
ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର ଆଣ୍ଡାମାନ ଆଡ଼କୁ ଅଗ୍ରସର ହେବା ସହ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। IMDର ଆକଳନ ଅନୁସାରେ, ଏହାର ପ୍ରଭାବରେ ଓଡ଼ିଶାରେ ବଡ଼ ବର୍ଷା କିମ୍ବା ଲଗାଣ ବର୍ଷାର ସମ୍ଭାବନା କମ୍ ରହିଛି। ଦଶହରା ସମୟରେ ମଧ୍ୟ ପାଗ ମୁଖ୍ୟତଃ ଶୁଖିଲା ରହିବା ଆଶା କରାଯାଉଛି।
ତେବେ ଅକ୍ଟୋବର ୧୩ ତାରିଖରୁ ପାଗରେ ପରିବର୍ତ୍ତନ ହୋଇପାରେ। ୧୩ ତାରିଖ ରାତିରୁ ୧୫ ତାରିଖ ରାତି କିମ୍ବା ୧୬ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ଓ ପବନ ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି।
ପାଣିପାଗ ଆକଳନ ଅନୁସାରେ, ୧୩ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୧୪ରୁ ୧୬ ତାରିଖ ମଧ୍ୟରେ ଏହା ଅଧିକ ସଂଗଠିତ ହୋଇ କେନ୍ଦ୍ରୀୟ କିମ୍ବା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିପାରେ। ୧୬ ତାରିଖ ବେଳକୁ ବର୍ଷାର ପରିମାଣ କମିବା ସହ ପାଗ ପୁଣି ଶୁଖିଲା ହୋଇପାରେ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

