Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Jharsuguda Airport Expansion: ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ହେବ ବିକାଶ; ନିବେଶ ହେବ ୨୧୦୦ କୋଟି, ନୂଆ ଟର୍ମିନାଲ୍‌ ଓ ବିମାନ ସେବା ଉପରେ ଫୋକସ୍‌

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ବିମାନ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ସମ୍ପ୍ରସାରଣ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି। ବିମାନବନ୍ଦର ପରାମର୍ଶଦାତା କମିଟିର ବୈଠକରେ ଭିତ୍ତିଭୂମିର ବିକାଶ, ନୂଆ ଟର୍ମିନାଲ୍‌ ନିର୍ମାଣ ଏବଂ ଯାତ୍ରୀଙ୍କ ସୁବିଧା ବଢ଼ାଇବା ନେଇ ଆଲୋଚନା ହୋଇଛି। ବରଗଡ଼ ସାଂସଦ ତଥା କମିଟି ଅଧ୍ୟକ୍ଷ ପ୍ରଦୀପ ପୁରୋହିତଙ୍କ ସୂଚନା ଅନୁସାରେ, ଏହି ବିକାଶ କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ୨୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ବିମାନବନ୍ଦରର ରନ୍‌ୱେ ସମ୍ପ୍ରସାରଣ ପାଇଁ ୧୬୮.୮୮ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି। ଏହାସହ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଦ୍ୱିତୀୟ ସକାଳୁଆ ବିମାନ ଚଳାଚଳ କରିବା ସହ ଚେନ୍ନାଇ, ଜୟପୁର ଓ ବିଶାଖାପାଟଣାକୁ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା ହୋଇଛି। ଯାତ୍ରୀ ସଂଖ୍ୟାରେ ୪୧.୨ ପ୍ରତିଶତ ବୃଦ୍ଧିର ଲକ୍ଷ୍ୟ ରଖାଯାଇଥିବା ମଧ୍ୟ ସୂଚନା ଦିଆଯାଇଛି।

ଯାତ୍ରୀଙ୍କ ସୁବିଧା ପାଇଁ ବିମାନବନ୍ଦରରେ ଏଟିଏମ୍‌, ରେଷ୍ଟୁରାଣ୍ଟ ଓ ଖାଦ୍ୟ ଷ୍ଟଲ୍‌ ଖୋଲିବା ସହ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ସୂଚନା ଦେବାକୁ ଏକ ପର୍ଯ୍ୟଟନ ସୂଚନା କେନ୍ଦ୍ର ସ୍ଥାପନ କରିବା ଯୋଜନା ରହିଛି। ଜରୁରୀ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ନିୟୋଜନ ଏବଂ ଭବିଷ୍ୟତର ସମ୍ପ୍ରସାରଣ ପାଇଁ ଜମି ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବା ଉପରେ ମଧ୍ୟ ଜୋର୍‌ ଦିଆଯାଇଛି। ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କମିଟି ସଦସ୍ୟମାନେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories