Internet Shutdown Case: ଦିଲ୍ଲୀରେ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ ମାମଲା, ସୁପ୍ରିମକୋର୍ଟରେ କେନ୍ଦ୍ରର କ୍ଷମା ପ୍ରାର୍ଥନା
ନୂଆଦିଲ୍ଲୀ: ଦିଲ୍ଲୀରେ କକରୋଚ୍ ଜନତା ପାର୍ଟି (CJP)ର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରାଯିବା ମାମଲାରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର। ଅକ୍ଟୋବର ୯ ରାତିରୁ ୧୦ ତାରିଖ ରାତି ପର୍ଯ୍ୟନ୍ତ ରାଇସିନା ହିଲ୍ର ୪ କିଲୋମିଟର ପରିଧି ମଧ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ ରଖିବା ନିଷ୍ପତ୍ତିକୁ ସରକାର ଯଥାର୍ଥ ବୋଲି ଦର୍ଶାଇଛନ୍ତି। ତେବେ, ଅଦାଲତଙ୍କ ନିର୍ଦ୍ଦେଶର ଜାଣିଶୁଣି ଅବମାନନା କରିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା କରିଛନ୍ତି।
କେନ୍ଦ୍ରର ସତ୍ୟପାଠ ଅନୁସାରେ, ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାର ଆଶଙ୍କା ଥିବାରୁ ଦିଲ୍ଲୀ ପୁଲିସ ଅକ୍ଟୋବର ୧୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ବନ୍ଦ ରଖିବାକୁ ଅନୁରୋଧ କରିଥିଲା। ଏହାକୁ ବିଚାର କରି ରାଇସିନା ହିଲ୍ ଅଞ୍ଚଳରେ ସେବା ବନ୍ଦ କରାଯାଇଥିଲା। ଏହି କଟକଣା କେବଳ ମୋବାଇଲ୍ ଇଣ୍ଟରନେଟ୍ ପାଇଁ ଲାଗୁ ହୋଇଥିଲା; ୱାଇ-ଫାଇ ଓ ବ୍ରଡ୍ବ୍ୟାଣ୍ଡ ସେବା ଚାଲୁ ରହିଥିବା ସରକାର ସ୍ପଷ୍ଟ କରିଛନ୍ତି। ଅନୁମତି ନମିଳିବା ସତ୍ତ୍ୱେ ପ୍ରଦର୍ଶନ ଆୟୋଜନ ଉଦ୍ୟମ ହେବାରୁ ସାଧାରଣ ଶାନ୍ତି ବଜାୟ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା ବୋଲି ସତ୍ୟପାଠରେ ଦାବି କରାଯାଇଛି।
ଏହି ମାମଲାରେ କେନ୍ଦ୍ରୀୟ ଗୃହ ସଚିବ ଗୋବିନ୍ଦ ମୋହନଙ୍କୁ ଜାରି ହୋଇଥିବା ଅଦାଲତ ଅବମାନନା ନୋଟିସ୍ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ଏଥିସହ ଅକ୍ଟୋବର ୧୧, ୨୦୨୬ର ଆଦେଶରେ ଆବଶ୍ୟକ ସଂଶୋଧନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଆଇନ ଓ ନିର୍ଦ୍ଧାରିତ ସୁରକ୍ଷା ବ୍ୟବସ୍ଥା ପାଳନ କରି ଜରୁରୀ ପରିସ୍ଥିତିରେ ସୀମିତ ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରିବାର ଅନୁମତି ଦେବାକୁ ସରକାର ଯୁକ୍ତି ରଖିଛନ୍ତି। ଏବେ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ନଜର ରହିଛି।

