Odisha SI Recruitment Scam: ଓଡ଼ିଶା-ପଶ୍ଚିମବଙ୍ଗର୧୨ଟି ସ୍ଥାନରେ ED ଚଢ଼ାଉ! ପ୍ରଶ୍ନପତ୍ର ଦେବାକୁ ୧୫ରୁ ୩୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ
ଭୁବନେଶ୍ୱର: ଓଡ଼ିଶା ପୋଲିସ SI ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଓଡ଼ିଶା ଓ ପଶ୍ଚିମବଙ୍ଗର ୧୨ଟି ସ୍ଥାନରେ ଚଢ଼ାଉ କରିଛି। ସିଲିକନ୍ ଟେକ୍ ଲାବ୍, ପଞ୍ଚସଫ୍ଟ ଟେକ୍ନୋଲୋଜି ଓ PSIL ଇଣ୍ଟରନ୍ୟାସନାଲ୍ ସହ ଜଡ଼ିତ ସଂସ୍ଥା ଓ ବ୍ୟକ୍ତିଙ୍କ ପରିସରରେ ଏହି ଯାଞ୍ଚ ହୋଇଥିବା ସୂଚନା ମିଳିଛି। ଚଢ଼ାଉ ସମୟରେ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍, ଇଲେକ୍ଟ୍ରୋନିକ୍ ଡିଭାଇସ୍ ଓ ବିଭିନ୍ନ ରେକର୍ଡ ଜବତ କରାଯାଇଛି।
ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁସାରେ ଏହି ଜବତ ପ୍ରକ୍ରିୟା ହୋଇଥିବା କୁହାଯାଇଛି। EDର ଅଭିଯୋଗ ଅନୁସାରେ, ପ୍ରତି ପରୀକ୍ଷାର୍ଥୀଙ୍କଠାରୁ ୧୫ରୁ ୩୦ ଲକ୍ଷ ଟଙ୍କା ନେଇ ପ୍ରଶ୍ନପତ୍ର ଯୋଗାଇଦେବାର ପ୍ରଲୋଭନ ଦିଆଯାଇଥିଲା। ଏହି ମାମଲାରେ ପୂର୍ବରୁ ତଦନ୍ତକାରୀ ସଂସ୍ଥାର ନଜରକୁ ଆସିନଥିବା କିଛି କମ୍ପାନୀ ଓ ବ୍ୟକ୍ତିଙ୍କ ଭୂମିକା ମଧ୍ୟ ସାମ୍ନାକୁ ଆସିଥିବା ED କହିଛି। ଏହାସହ OPRB ଓ ଅନ୍ୟ କମ୍ପାନୀ ସହ ଜଡ଼ିତ କିଛି ବ୍ୟକ୍ତିଙ୍କ ସମ୍ଭାବ୍ୟ ସମ୍ପୃକ୍ତି ଯାଞ୍ଚ କରାଯାଉଛି।
ଏହି ମାମଲାରେ ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ତଦନ୍ତ କରୁଥିବା ବେଳେ, ଏବେ ED ଅର୍ଥ କାରବାର ଓ ଟଙ୍କାର ଉତ୍ସ ଖୋଜୁଛି। ନିଯୁକ୍ତି ପ୍ରକ୍ରିୟାରେ କେଉଁ ସଂସ୍ଥା ଓ ବ୍ୟକ୍ତିଙ୍କ ଭୂମିକା ରହିଥିଲା ଏବଂ ଅଭିଯୋଗରେ ଉଲ୍ଲେଖ ଟଙ୍କା କିପରି କାରବାର ହୋଇଥିଲା, ସେନେଇ ତଦନ୍ତ ଜାରି ରହିଛି। ତେବେ ଚଢ଼ାଉରେ ଜବତ ହୋଇଥିବା ସାମଗ୍ରୀରୁ କେଉଁ ତଥ୍ୟ ମିଳିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

