CNAP Caller Name Display: ଆସନ୍ତା ନଭେମ୍ବର ୧ରୁ ଫୋନ୍ରେ ଦେଖାଯିବ ଅଜଣା କଲରଙ୍କ ଅସଲି ନାମ, ସ୍ପାମ୍ କଲ୍ ଚିହ୍ନିବା ହେବ ଆହୁରି ସହଜ
ନୂଆଦିଲ୍ଲୀ: ଅଜଣା ନମ୍ବରରୁ ଆସୁଥିବା କଲ୍ ଏବଂ ସ୍ପାମ୍ କଲ୍କୁ ଚିହ୍ନିବା ପାଇଁ କେନ୍ଦ୍ର ସରକାର Calling Name Presentation (CNAP) ବ୍ୟବସ୍ଥା ଲାଗୁ କରିବାକୁ ପଦକ୍ଷେପ ନେଇଛନ୍ତି। ସୂଚନା ଅନୁସାରେ, ନଭେମ୍ବର ୧ରୁ ଏହି ସେବା ଆରମ୍ଭ କରିବାକୁ ଦୂରସଞ୍ଚାର ବିଭାଗ (DoT) ଟେଲିକମ୍ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏହି ବ୍ୟବସ୍ଥାରେ କଲ୍ ଆସିବା ସମୟରେ ନମ୍ବର ସହିତ କଲ୍ କରୁଥିବା ବ୍ୟକ୍ତିଙ୍କ ନାମ ମଧ୍ୟ ମୋବାଇଲ୍ ସ୍କ୍ରିନ୍ରେ ଦେଖାଯିବ। ଏହାଦ୍ୱାରା ଅଜଣା କଲରଙ୍କ ପରିଚୟ ଜାଣିବା ସହଜ ହେବ।
ଏହି ନିୟମ ଅନୁଯାୟୀ, ୪ଜି ଓ ୫ଜି ନେଟୱାର୍କରେ CNAP ସେବା ଡିଫଲ୍ଟ ଭାବେ ସକ୍ରିୟ ରହିବାକୁ ଥିବା ସୂଚନା ମିଳିଛି। ଯଦି କଲ୍ କରୁଥିବା ବ୍ୟକ୍ତିଙ୍କ ନମ୍ବର ଗ୍ରାହକଙ୍କ କଣ୍ଟାକ୍ଟ ଲିଷ୍ଟରେ ସେଭ୍ ହୋଇଥାଏ, ତେବେ ସେଭ୍ ହୋଇଥିବା ନାମ ଦେଖାଯିବ। ନମ୍ବର ସେଭ୍ ହୋଇନଥିଲେ ଟେଲିକମ୍ ଅପରେଟରଙ୍କ ରେକର୍ଡରେ ପଞ୍ଜୀକୃତ ନାମ ପ୍ରଦର୍ଶିତ ହେବ। ଅନ୍ତର୍ଜାତୀୟ କଲ୍ ଆସିଲେ ସ୍କ୍ରିନ୍ରେ ‘International Call’ ଦେଖାଯିବ। ତେବେ ୨ଜି ଓ ୩ଜି ନେଟୱାର୍କ ସହ ପବ୍ଲିକ୍ ସୁଇଚ୍ଡ ଟେଲିଫୋନ୍ ନେଟୱାର୍କରେ ଏହାର ପ୍ରୟୋଗ ପରେ ବିଚାର କରାଯିବ।
୪ଜି ଓ ୫ଜି ନେଟୱାର୍କରେ ପରୀକ୍ଷଣ ପରେ ଏହି ବ୍ୟବସ୍ଥା ଲାଗୁ କରିବା ନେଇ ନିଷ୍ପତ୍ତି ହୋଇଥିବା କୁହାଯାଇଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (TRAI)ର ଫେବୃଆରୀ ୨୦୨୪ର ସୁପାରିଶ ଏବଂ ଅକ୍ଟୋବର ୨୦୨୫ରେ TRAI ଓ DoT ମଧ୍ୟରେ ହୋଇଥିବା ସହମତି ଆଧାରରେ ଏହି ପଦକ୍ଷେପ ନିଆଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ମୋବାଇଲ୍ ସ୍କ୍ରିନ୍ରେ ନାମ ଦେଖାଯିବା ମାତ୍ରେ ପ୍ରତ୍ୟେକ କଲ୍ ସୁରକ୍ଷିତ ବୋଲି ନିଶ୍ଚିତ ହେବ ନାହିଁ; ଠକେଇର ଆଶଙ୍କା ଥିବା କଲ୍ ପ୍ରତି ସତର୍କ ରହିବା ଜରୁରୀ।

