Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ

ବାଲିଗୁଡା, ତା, ୨୦/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ଜଙ୍ଗଲ ସମ୍ପଦ ଉପରେ କାଠ ମାଫିଆଙ୍କ ଲୋଲୁପ ଦୃଷ୍ଟି! ପାଲ ଘୋଡ଼ାଇ ଟ୍ରକ୍‌ରେ ବୋଝେଇ ହୋଇଥିବା ବହୁ ପରିମାଣର ମୂଲ୍ୟବାନ ଶାଳ କାଠକୁ ଚୋରା ଚାଲାଣ କରାଯାଉଥିବା ବେଳେ ବନ ବିଭାଗ ଏହାକୁ ଧରିବାରେ ସଫଳ ହୋଇଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବନାଞ୍ଚଳ ଅନ୍ତର୍ଗତ ସିମନବାଡ଼ି ଉପବିଭାଗ ଓ କ. ନୂଆଗାଁ ବନାଞ୍ଚଳର କର୍ମଚାରୀଙ୍କ ମିଳିତ ଚଢ଼ାଉରେ ଟ୍ରକ୍‌ ସହ ବିପୁଳ ପରିମାଣ ର ଶାଳ କାଠ ଜବତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ଜାତୀୟ ରାଜପଥ ୫୯ର ସିମନବାଡ଼ିଠାରୁ କଞ୍ଜାମେଣ୍ଡି ଛକ ମଧ୍ୟରେ ଓଡ଼ି-୦୫-ବିଜେ-୪୭୭୪ ନମ୍ବର ବିଶିଷ୍ଟ ଟ୍ରକ୍‌ଟିକୁ ବନ କର୍ମଚାରୀ ମାନେ ଅଟକାଇ ଯାଞ୍ଚ କରିଥିଲେ। ଟ୍ରକ୍‌ରେ ବହୁ ପରିମାଣର ଶାଳ ଗଣ୍ଡି ବୋଝେଇ ହୋଇଥିବା ବେଳେ ତାହାକୁ ପାଲ ଘୋଡ଼ାଇ ରଖାଯାଇଥିଲା। ଯାହା ଫଳରେ ସହଜରେ କାହାର ନଜରକୁ ଆସିବ ନାହିଁ ବୋଲି ଏଭଳି ଉପାୟ ଅବଲମ୍ବନ କରାଯାଇଥିବା ସନ୍ଦେହ କରାଯାଉଛି।
କୌଣସି ସୂତ୍ରରୁ ଚୋରା କାଠ ଚାଲାଣ ସମ୍ପର୍କରେ ଖବର ପାଇବା ପରେ ଉଭୟ ବନାଞ୍ଚଳର କର୍ମଚାରୀ ମିଳିତ ଭାବେ ଚଢ଼ାଉ କରିଥିଲେ। ଟ୍ରକ୍‌ରୁ କାଠ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସୂଚନା ଅନୁସାରେ, ଟ୍ରକ୍‌ରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଳ କାଠ ରହିଥିବା ଆକଳନ କରାଯାଉଛି। ତେବେ ଜବତ କାଠର ପ୍ରକୃତ ମୂଲ୍ୟ ଏଯାବତ୍‌ ନିର୍ଦ୍ଧାରଣ କରାଯାଇନାହିଁ। ସିମନବାଡ଼ି ଉପବିଭାଗର ବନପାଳ ବନିତା ପ୍ରଧାନ କାଠର ପରିମାଣ ଓ ମୂଲ୍ୟ ଆକଳନ କରୁଛନ୍ତି। କେଉଁ ଜଙ୍ଗଲରୁ କଟାଯାଇଥିଲା କାଠ, କେଉଁଠାକୁ ହେଉଥିଲା ଚାଲାଣ? ଏବେ ତାହାକୁ ନେଇ ତଦନ୍ତ ଜୋରଦାର ହୋଇଛି। ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ପରେ କାଠ ଚାଲାଣ ପଛରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ଓ ଚୋରା କାଠର ଉତ୍ସ ସମ୍ପର୍କରେ ତଥ୍ୟ ମିଳିବା ଆଶା କରାଯାଉଛି। ଅନ୍ୟପକ୍ଷରେ, ନବରାତ୍ରି ପୂଜା ସମୟରେ ବନ କର୍ମଚାରୀମାନେ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବାର ସୁଯୋଗ ନେଇ କାଠ ମାଫିଆ ମାନେ ସକ୍ରିୟ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଏହି ଘଟଣାରେ ତଦନ୍ତ ଶେଷ ହେବା ପରେ ଚୋରା କାଠ କାରବାର ସମ୍ପର୍କରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବା ସମ୍ଭାବନା ରହିଛି। ଜଙ୍ଗଲ ସମ୍ପଦର ସୁରକ୍ଷା ପାଇଁ ବନ ବିଭାଗର ଏହି ଚଢ଼ାଉକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଥିବା ବେଳେ, ଚୋରା କାଠ ଚାଲାଣ ପଛରେ ଥିବା ପୂରା ନେଟ୍‌ୱର୍କର ପର୍ଦ୍ଦାଫାସ କେବେ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories