Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବରାତ୍ର ଉତ୍ସବ ଉଦଯାପିତ : ଭକ୍ତିର ମହକରେ ମହକିଲା ବାଲିଗୁଡ଼ା, ଉତ୍ସବର ରଙ୍ଗରେ ଝଲସିଲା ସହର :

ବାଲିଗୁଡ଼ା, ତା, ୨୧/୧୦: (ସଞ୍ଜୟ କୁମାର ପାଣିଗ୍ରାହୀ): ଶାରଦୀୟ ଦୁର୍ଗୋତ୍ସବର ଆଧ୍ୟାତ୍ମିକ ପରିବେଶରେ ଉତ୍ସବମୁଖର ହୋଇଉଠିଛି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହର। ନବରାତ୍ର ଓ ଦଶହରା ଅବସରରେ ବିଭିନ୍ନ ଦେବୀପୀଠ ଓ ପୂଜାମଣ୍ଡପରେ ମା’ଙ୍କ ଆରାଧନା, ଶ୍ରଦ୍ଧାଳୁଙ୍କ ସମାଗମ ଏବଂ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହରରେ ସୃଷ୍ଟି କରିଛି ଏକ ଭକ୍ତିମୟ ଓ ଉତ୍ସବମୁଖର ପରିବେଶ। ନୃତ୍ୟ, ସଙ୍ଗୀତ ଓ ନାଟକର ଆସରରେ ଦଶହରାର ଆନନ୍ଦ ଦ୍ୱିଗୁଣିତ ହୋଇଥିବାବେଳେ ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୀଠରେ ଶତାଧିକ ଭକ୍ତଙ୍କ ଭିଡ଼ ଜମୁଥିଲା l ଅଞ୍ଚଳର ଆରାଧ୍ୟା ଦେବୀ ମା’ ପାଟଖଣ୍ଡାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଶ୍ରୀ ମା’ ପାଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ନବରାତ୍ର ଉତ୍ସବ ଓ ମୃଣ୍ମୟୀ ପ୍ରତିମା ପୂଜା ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଇଛି। ସେହିପରି ମା’ ବରାଳ ଦେବୀ ପୀଠ ଏବଂ ବିରାଗୁଡ଼ା ସ୍ଥିତ ନବଦୁର୍ଗା ମନ୍ଦିରରେ ନବରାତ୍ର ପୂଜା ଅନୁଷ୍ଠିତ ହୋଇଛି। ଅନ୍ୟପକ୍ଷରେ ସପ୍ତମୀଠାରୁ ଦଶହରା ପର୍ଯ୍ୟନ୍ତ ବିଦ୍ୟୁତ୍ ବିଭାଗ ପକ୍ଷରୁ ମୃଣ୍ମୟୀ ପ୍ରତିମା ପୂଜା ଆୟୋଜନ କରାଯାଇଥିବାବେଳେ ନୂଆସାହି ସ୍ଥିତ ମା’ ଦୁର୍ଗା ଦେବୀଙ୍କ ପୀଠ ଏବଂ ଚମ୍ପାସାହି ସ୍ଥିତ ମା’ ଡେଙ୍ଗଶୀଳ ପୀଠରେ ମଧ୍ୟ ଦଶହରା ପୂଜା ଧାର୍ମିକ ଉତ୍ସାହର ସହ ପାଳିତ ହୋଇଛି। ନବରାତ୍ରରେ ମା’ଙ୍କ ନବଦୁର୍ଗା ରୂପ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ ପାଇଁ ଭକ୍ତମାନେ ପୀଠଗୁଡ଼ିକରେ ପହଞ୍ଚୁଛନ୍ତି। ଦୁର୍ଗାପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜା ଅନୁଷ୍ଠାନ ପକ୍ଷରୁ ପ୍ରତିଦିନ ନୃତ୍ୟ, ସଙ୍ଗୀତ ସମେତ ବିଭିନ୍ନ ମନୋରଞ୍ଜନ ମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲାର ସାମାଜିକ ନାଟକ ‘ହା କୃଷ୍ଣ ବୋଲି ଜୀବ ଯାଉ’ ଦର୍ଶକଙ୍କ ମନୋରଞ୍ଜନର ଖୋରାକ ଯୋଗାଇଥିବା ବେଳେ ନୂଆସାହି ସ୍ଥିତ ତରୁଣ କଳା ପରିଷଦ ପକ୍ଷରୁ ଷୋଡ଼ଶତମ କାଳ୍ପନିକ ନାଟକ ‘ଅଭିଶପ୍ତ କାଶ୍ମୀର’ ମଞ୍ଚସ୍ଥ ହୋଇଥିଲା। ସେହିପରି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପୌରାଣିକ ନାଟକ ‘ରାମାୟଣ ଦୁଇଥଳ’ ମଧ୍ୟ ମଞ୍ଚସ୍ଥ ହୋଇଥିଲା। ନାଟକ ଓ ସାଂସ୍କୃତିକ ପରିବେଷଣ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଧାର୍ମିକ ଆସ୍ଥା ସହ ସାମାଜିକ ଓ ସାଂସ୍କୃତିକ ପରମ୍ପରାର ମିଳନ ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଛି। ଚଳିତ ବର୍ଷ ମା’ଙ୍କ ପୂଜାରେ ମନ୍ଦିର ପୀଠରେ ରବୀନ କୁମାର ମିଶ୍ର ଓ ନମିତା ମହାପାତ୍ର କର୍ତ୍ତା ଦାୟିତ୍ୱ ତୁଲାଉଥିବାବେଳେ ପୂଜାମଣ୍ଡପରେ ସୀତାରାମ ଦାସ ଓ ରୁନି ଦାସ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ପୁରୀ ଶ୍ରୀକ୍ଷେତ୍ର ଧାମରୁ ଆସିଥିବା ହିମାଂଶୁ ଶେଖର ଶତପଥୀ, ଗଞ୍ଜାମ ଜିଲ୍ଲା ଖଟିଆ ରାମଚନ୍ଦ୍ରପୁର ଶାସନର ଚିନ୍ମୟ ଶତପଥୀ ଏବଂ କରପଡ଼ା ଗ୍ରାମର କାହ୍ନୁଚରଣ ପଣ୍ଡା ପୁରୋହିତ ଓ ପୂଜକ ଭାବେ ପୂଜାବିଧି ସମ୍ପନ୍ନ କରୁଛନ୍ତି। ଦୁର୍ଗାପୂଜାର ବିଭିନ୍ନ କାର୍ଯ୍ୟକ୍ରମ ପରେ ଆସନ୍ତା ୨୩ ତାରିଖ ସନ୍ଧ୍ୟାରେ ମା’ଙ୍କ ଭସାଣି ଉତ୍ସବ ଆୟୋଜନ କରାଯିବ। ଏହାକୁ ନେଇ ପୂଜା କମିଟି ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ମା’ଙ୍କୁ ମେଲାଣି ଦେବା ସହ ଆସନ୍ତା ବର୍ଷ ପୁଣି ଶାରଦୀୟ ଉତ୍ସବରେ ମା’ଙ୍କ ଆଗମନକୁ ଅପେକ୍ଷା କରିବେ ଭକ୍ତ। ଶେଷତଃ, ବାଲିଗୁଡ଼ା ରେ ଧାର୍ମିକ ଆସ୍ଥା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଅପୂର୍ବ ସମନ୍ୱୟରେ ଦୁର୍ଗୋତ୍ସବ ପାଳିତ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories