Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି

କନ୍ଧମାଳ ,ତା, ୨୧/୧୦:(ସଞ୍ଜୟ କୁମାର ଦାସ ): ପେଶା ନିୟମ ଲାଗୁ, ଜଙ୍ଗଲ ଅଧିକାର ଆଇନର ସଠିକ୍ କାର୍ଯ୍ୟକାରିତା ଏବଂ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଭାବେ ଗଠନ କରିବା ଦାବିରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଅଣ୍ଟା ଭିଡ଼ିଛି କନ୍ଧମାଳ ର ଚାଷୀ ମୁଲିଆ ସୁରକ୍ଷା ସମିତି। ଏହି ଦାବିଗୁଡ଼ିକୁ ନେଇ ଚଳିତମାସ ୨୭ ତାରିଖ ମଙ୍ଗଳବାର ସକାଳ ୧୦ଟାରେ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଆୟୋଜନ କରାଯିବ। ବାସୁଦେବପୁରରୁ ଏହି ପଦଯାତ୍ରା ଆରମ୍ଭ ହୋଇ ବ୍ରାହ୍ମଣୀଗାଁ ମୁଖ୍ୟ ବଜାର ପରିକ୍ରମା କରିବ ବୋଲି ସଂଗଠନ ପକ୍ଷରୁ ସୂଚନା ମିଳିଛି। ଏହି ପଦଯାତ୍ରାର ସଫଳ ଆୟୋଜନ ଓ ଦାବିଗୁଡ଼ିକର ପ୍ରଚାର ପ୍ରସାର ନେଇ ବ୍ରାହ୍ମଣୀଗାଁସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପେଶା ନିୟମ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶରେ ବିଳମ୍ବ, ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ଏବଂ ବ୍ରାହ୍ମଣୀଗାଁ ଅଞ୍ଚଳର ପ୍ରଶାସନିକ ଓ ବିକାଶମୂଳକ ଆବଶ୍ୟକତା ନେଇ ଆଲୋଚନା ହୋଇଥିଲା। ସଂଗଠନର ଅଭିଯୋଗ ଅନୁଯାୟୀ, ପେଶା ନିୟମ ଲାଗୁ ହେବାରେ ବିଳମ୍ବ ଏବଂ ଜଙ୍ଗଲ ଅଧିକାର ଆଇନର ସଠିକ୍ କାର୍ଯ୍ୟକାରିତାର ଅଭାବ ଯୋଗୁଁ ଆଦିବାସୀଙ୍କ ପାରମ୍ପରିକ ଅଧିକାର ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ପ୍ରଭାବିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଇନଗତ ଅଧିକାରର ସୁରକ୍ଷା ସହ ବ୍ରାହ୍ମଣୀଗାଁକୁ ଏକ ସ୍ୱତନ୍ତ୍ର ବ୍ଲକ ଭାବେ ଗଠନ କରିବା ଦାବିକୁ ଗୁରୁତ୍ୱ ଦିଆଯାଇଛି। ଏହି ଦାବିଗୁଡ଼ିକ ପ୍ରତି ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହ ଅଞ୍ଚଳରେ ଜନସମର୍ଥନ ସୃଷ୍ଟି କରିବା ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି। ପଦଯାତ୍ରାରେ ସାମିଲ ହୋଇ ଦାବିଗୁଡ଼ିକୁ ସମର୍ଥନ ଜଣାଇବା ପାଇଁ କୁଇକୂଳ ସମିତି, ବ୍ରାହ୍ମଣୀଗାଁ ଶାଖା ଏବଂ ମା’ ବୁରା ପେନୁ କୁଇ ସଂସ୍କୃତି ସୁରକ୍ଷା ପରିଷଦକୁ ନିମନ୍ତ୍ରଣ କରାଯାଇଛି। ଏଥିସହ ବିଭିନ୍ନ ଗାଁର ଜଙ୍ଗଲ ଅଧିକାର କମିଟି, ବୁଦ୍ଧିଜୀବୀ ଓ ସମସ୍ତ ଅଞ୍ଚଳବାସୀଙ୍କୁ ଏହି ଶାନ୍ତିପୂର୍ଣ୍ଣ ପଦଯାତ୍ରାରେ ଯୋଗଦେଇ ନିଜ ଅଧିକାର ଓ ଅଞ୍ଚଳର ବିକାଶ ପାଇଁ ଏକଜୁଟ ହେବାକୁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories