Gangster Himanshu Bhau: ବିଦେଶରେ ଧରାପଡ଼ିଲା ହିମାଂଶୁ ଭାଉ, ଏବେ ଭାରତକୁ ଆଣିବା ପ୍ରସ୍ତୁତି
ନୂଆଦିଲ୍ଲୀ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉକୁ ଆମେରିକାରେ ଗିରଫ କରାଯାଇଥିବା ଖବର ସାମ୍ନାକୁ ଆସିଛି। ହିମାଂଶୁ ହରିୟାଣାର ରୋହତକ ଜିଲ୍ଲାର ରିତୋଲି ଗାଁର ବାସିନ୍ଦା ଏବଂ ସେ ‘ହିମାଂଶୁ ରିତୋଲି’ ନାମରେ ମଧ୍ୟ ପରିଚିତ। ଦିଲ୍ଲୀ ଓ ହରିୟାଣାରେ ସକ୍ରିୟ ଥିବା ତା’ର ଗ୍ୟାଙ୍ଗ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଓ ବଟି ଆଦାୟ ଭଳି ଅନେକ ସଙ୍ଗିନ ଅଭିଯୋଗ ରହିଛି। ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବ୍ରାର୍ଙ୍କ ଗ୍ୟାଙ୍ଗ ସହ ତା’ର ଗୋଷ୍ଠୀର ଦୀର୍ଘଦିନର ଶତ୍ରୁତା ଥିବା ମଧ୍ୟ କୁହାଯାଏ।
ରିପୋର୍ଟ ଅନୁସାରେ, ହିମାଂଶୁ ମାତ୍ର ୧୭ ବର୍ଷ ବୟସରୁ ଅପରାଧ ଜଗତରେ ପାଦ ଥାପିଥିଲା। ପରେ ତା’ ବିରୋଧରେ ଏକାଧିକ ଅପରାଧିକ ମାମଲା ରୁଜୁ ହୋଇଥିଲା। ୨୦୨୩ରେ ଇଣ୍ଟରପୋଲ୍ ତା’ ବିରୋଧରେ ରେଡ୍ କର୍ନର ନୋଟିସ୍ ଜାରି କରିଥିବା ସୂଚନା ରହିଛି। ଏଲଭିଶ ଯାଦବଙ୍କ ଘର ବାହାରେ ଗୁଳିକାଣ୍ଡ, ବର୍ଗର କିଙ୍ଗ୍ ରେସ୍ତୋରାଁରେ ହତ୍ୟାକାଣ୍ଡ ଏବଂ ଜିମ୍ ମାଲିକଙ୍କୁ ଟାର୍ଗେଟ କରି ହୋଇଥିବା ଗୁଳିକାଣ୍ଡ ଭଳି ଘଟଣାରେ ତା’ର ନାମ ସାମ୍ନାକୁ ଆସିଛି। ସେ ପ୍ରଥମେ ପର୍ତ୍ତୁଗାଲ ଏବଂ ପରେ ଆମେରିକାରେ ରହି ନିଜ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ଅଭିଯୋଗ ରହିଛି।
ବର୍ତ୍ତମାନ ହିମାଂଶୁ ଆମେରିକୀୟ ଏଜେନ୍ସିର ହେପାଜତରେ ଥିବା ଖବର ମିଳିଥିବା ବେଳେ ତାକୁ ଭାରତ ଫେରାଇ ଆଣିବା ପାଇଁ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହେବା ନେଇ ଚର୍ଚ୍ଚା ହେଉଛି। ଦିଲ୍ଲୀ ପୋଲିସ, ହରିୟାଣା ପୋଲିସ ଓ ଜାତୀୟ ଅନୁସନ୍ଧାନ ସଂସ୍ଥା (NIA) ତା’ ବିରୋଧରେ ବିଭିନ୍ନ ମାମଲାର ତଦନ୍ତ କରୁଥିବା ସୂଚନା ମିଳିଛି ।

