North Block Fire: ଦିଲ୍ଲୀର ନର୍ଥ ବ୍ଲକ୍ ଛାତରେ ଏସି ବଏଲର୍ରେ ନିଆଁ, ୬ଟି ଅଗ୍ନିଶମ ଗାଡ଼ି ମୁତୟନ
ନୂଆଦିଲ୍ଲୀ: ଦିଲ୍ଲୀର ରାଇସିନା ହିଲ୍ସ୍ଥିତ ଐତିହାସିକ ନର୍ଥ ବ୍ଲକ୍ କୋଠାର ଛାତରେ ଥିବା ଏକ ଏସି ବଏଲର୍ରେ ନିଆଁ ଲାଗିବାରୁ ସୋମବାର ସକାଳେ ଘନ କଳା ଧୂଆଁ ଉଠିଥିଲା। ଏହି ଘଟଣା ସମ୍ପର୍କରେ ସକାଳ ପ୍ରାୟ ୧୧ଟାରେ ଅଗ୍ନିଶମ ବିଭାଗକୁ ସୂଚନା ମିଳିଥିଲା। ଖବର ପାଇ ୬ଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା। ନର୍ଥ ବ୍ଲକ୍ ଏକ ପ୍ରମୁଖ ସରକାରୀ ପ୍ରଶାସନିକ କୋଠା ହୋଇଥିବାରୁ ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା।
ଅଗ୍ନିଶମ ବିଭାଗର ସୂଚନା ଅନୁସାରେ, କୋଠାର ଛାତରେ ୱେଲ୍ଡିଂ କାମ ଚାଲିଥିବା ବେଳେ ହଠାତ୍ ସର୍ଟ ସର୍କିଟ୍ ହୋଇ ଏକ ଏସି ବଏଲର୍ରେ ନିଆଁ ଲାଗିଥିବା ପ୍ରାଥମିକ ଭାବେ କୁହାଯାଇଛି। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଭାଗ ପକ୍ଷରୁ ଜାରି ବିବୃତିରେ ନିଆଁ ନିୟନ୍ତ୍ରଣକୁ ଆସିଥିବା ସ୍ପଷ୍ଟ କରାଯାଇଛି।
ଏହି ଘଟଣାକୁ ନେଇ ସାଂସଦ ମିଲିନ୍ଦ ଦେଓରା ମଧ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରିଥିଲେ। ସଂସଦକୁ ଯିବା ବାଟରେ ନର୍ଥ ବ୍ଲକ୍ ପଛପଟୁ ଘନ ଧୂଆଁ ଉଠୁଥିବା ସେ ଦେଖିଥିବା ଉଲ୍ଲେଖ କରିବା ସହ ସମସ୍ତେ ସୁରକ୍ଷିତ ଥାଆନ୍ତୁ ଏବଂ ଜରୁରୀକାଳୀନ ସେବା ଶୀଘ୍ର ପଦକ୍ଷେପ ନେଉଥାଉ ବୋଲି ଆଶା ପ୍ରକାଶ କରିଥିଲେ। ଅଗ୍ନିଶମ ବିଭାଗ ନିଆଁ ଆୟତ୍ତ ହୋଇଥିବା କହିଥିବା ବେଳେ, ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ |

