Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଲାଙ୍ଗୀରରେ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ପ୍ରଶାସନିକ ପ୍ରସ୍ତୁତି ଜୋରଦାର; ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ।

ବଲାଙ୍ଗୀର,୨୭।୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ମୁକାବିଲା ପାଇଁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ, ବ୍ଲକ ଏବଂ ତହସିଲ ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା ବୈଠକ ଶେଷ ହୋଇଛି ଏବଂ ପ୍ରଶାସନ ସବୁପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ବୋଲି ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ସୂଚନା ଦେଇଛନ୍ତି।
ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବାରୁ ଆସନ୍ତାକାଲି ଅର୍ଥାତ୍ ୨୮ ଅକ୍ଟୋବର ୨୦୨୬ (ବୁଧବାର) ଦିନ ବଲାଙ୍ଗୀର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ତେବେ ବାତ୍ୟା ପ୍ରଭାବିତ ଲୋକଙ୍କ ଅସ୍ଥାୟୀ ଆଶ୍ରୟସ୍ଥଳ (ସେଲଟର) ଭାବେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକୁ ବ୍ୟବହାର କରାଯିବ ଏବଂ ସେଠାରେ ଶିକ୍ଷକ ମାନେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଧାନ ପାଚିଲା ସମୟରେ ଏଭଳି ବାତ୍ୟା ଆସୁଥିବାରୁ ଚାଷୀମାନଙ୍କ ମଧ୍ୟରେ ଗଭୀର ଚିନ୍ତା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି କୃଷି ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସମୀକ୍ଷା କରାଯାଇ ଚାଷୀମାନଙ୍କୁ ସଚେତନ କରାଯାଇଛି । ଯେଉଁ ଜମିରେ ଧାନ ପାଚି ଅମଳ ହେବା ଅବସ୍ଥାରେ ଅଛି, ସେହି ଧାନକୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories