Cruise Ship Crisis: ଟଙ୍କା ସରିଯିବାରୁ କାମ ବନ୍ଦ କଲା କମ୍ପାନୀ, କାମ୍ବୋଡିଆରେ ଫସିଲେ ୨୦୦ ଯାତ୍ରୀ
ନୂଆଦିଲ୍ଲୀ: ବିଶ୍ୱ ଭ୍ରମଣର ସ୍ୱପ୍ନ ନେଇ କ୍ରୁଜ୍ ଜାହାଜରେ ରହିବା ପାଇଁ ଟଙ୍କା ଦେଇଥିଲେ ପ୍ରାୟ ୨୦୦ ଜଣ ଯାତ୍ରୀ। ହେଲେ ଯାତ୍ରା ମଝିରେ ସେମାନଙ୍କ ସ୍ୱପ୍ନକୁ ଲାଗିଛି ଝଟକା। କମ୍ପାନୀ ପାଖରେ ଟଙ୍କା ନଥିବାରୁ ଯାତ୍ରୀମାନଙ୍କୁ କାମ୍ବୋଡିଆରେ ଛାଡ଼ି ଦିଆଯାଇଥିବା ଖବର ସାମ୍ନାକୁ ଆସିଛି। ଜାହାଜରେ ରହି ବିଭିନ୍ନ ଦେଶ ବୁଲିବା ଯୋଜନା କରିଥିବା ଏହି ଯାତ୍ରୀମାନେ ଏବେ ଅନିଶ୍ଚିତତାରେ ପଡ଼ିଛନ୍ତି।
ଆମେରିକାଭିତ୍ତିକ କମ୍ପାନୀ ଭିଲା ଭି ରେସିଡେନ୍ସେସ୍ ମଙ୍ଗଳବାର ଏହାର ‘ଓଡିସି’ କ୍ରୁଜ୍ ଜାହାଜର ପରିଚାଳନା ସ୍ଥଗିତ ରଖିବା ଘୋଷଣା କରିଛି। ଇନ୍ଧନ ଖର୍ଚ୍ଚରେ ଅସାଧାରଣ ବୃଦ୍ଧିକୁ ଏହାର କାରଣ ଭାବେ କମ୍ପାନୀ ଦର୍ଶାଇଛି। ଏହି ନିଷ୍ପତ୍ତି ଫଳରେ ଜାହାଜରେ ଯାତ୍ରା କରୁଥିବା ପ୍ରାୟ ୨୦୦ ଜଣ ଯାତ୍ରୀଙ୍କ ଯାତ୍ରା ଅଟକି ଯାଇଛି।
ବିଶ୍ୱ ଭ୍ରମଣ ପାଇଁ ଅର୍ଥ ଖର୍ଚ୍ଚ କରିଥିବା ଯାତ୍ରୀମାନେ ଏବେ ନିଜ ଆଗାମୀ ଯାତ୍ରା ଓ ରହଣିକୁ ନେଇ ଚିନ୍ତାରେ ଅଛନ୍ତି। କମ୍ପାନୀର ପରିଚାଳନା ବନ୍ଦ ନିଷ୍ପତ୍ତି ସେମାନଙ୍କ ଯୋଜନାକୁ ଅନିଶ୍ଚିତ କରିଦେଇଛି। ଯାତ୍ରୀମାନଙ୍କ ପରବର୍ତ୍ତୀ ବ୍ୟବସ୍ଥା ସମ୍ପର୍କରେ ଦିଆଯାଇଥିବା ସୂଚନାରେ ଅଧିକ ବିବରଣୀ ନାହିଁ।

