ସିଡବ୍ଲ୍ୟୁସି ପକ୍ଷରୁ ୩ ଅନାଥ ଶିଶୁ ଉଦ୍ଧାର
କଳାହାଣ୍ଡି, ୨୯/୧୦- ଅସହାୟ ଅବସ୍ଥାରେ ଭଙ୍ଗା ମାଟି ଘରେ ଦିନ କାଟୁଥିବା ତିନି ଅନାଥ ଶିଶୁଙ୍କୁ ଶେଷରେ ଉଦ୍ଧାର କରାଯାଇ ଥଇଥାନ କରାଯାଇଛି। ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ଅନ୍ତର୍ଗତ ସିକେରକୁପା ଗ୍ରାମର ଏହି ତିନି ଶିଶୁଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି)ର ହସ୍ତକ୍ଷେପ ପରେ କେସିଙ୍ଗାସ୍ଥିତ ଏକ ଆଶ୍ରମରେ ରଖାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସିକେରକୁପା ଗ୍ରାମର ଜ୍ୟୋତି ମୋଗଲେଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଚାରି ସନ୍ତାନଙ୍କ ପ୍ରତିପୋଷଣ ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ଜୀବିକା ଅନ୍ୱେଷଣରେ ସେ ଘର ଛାଡ଼ି ଯିବା ପରେ ଶିଶୁମାନେ ଗାଁର ଏକ ଭଙ୍ଗାଦଦରା ମାଟି ଘରେ ଆଶ୍ରୟ ନେଇଥିଲେ। ଏହି ଅସହାୟ ଶିଶୁମାନଙ୍କ ଦୁରବସ୍ଥା ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ ସେମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ବିଭିନ୍ନ ସମାଜସେବୀ ଓ ସଂଗଠନ ଆଗକୁ ଆସିଥିଲେ। ପ୍ରଶାସନ ପକ୍ଷରୁ ମଧ୍ୟ ଶିଶୁମାନଙ୍କ ସୁରକ୍ଷା ଓ ଥଇଥାନ ପାଇଁ ପଦକ୍ଷେପ ନିଆଯାଇଥିଲା।ଶେଷରେ ସମାଜସେବୀ ସତ୍ୟନାରାୟଣ ବିଶିଙ୍କ ଉଦ୍ୟମରେ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀମୋହନ ପିଡ଼ିକାଙ୍କ ଉପସ୍ଥିତିରେ ତିନି ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ପରେ ସେମାନଙ୍କୁ ଭବାନୀପାଟଣାସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିକଟରେ ହାଜର କରାଯିବା ସହ ଜିଲ୍ଲା ଶିଶୁ ମଙ୍ଗଳ ସମିତିକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା।ଏହାପରେ ଦୁର୍ଗା ମୋଗଲେ, ଦେବ ମୋଗଲେ ଓ ସୋନୁ ମୋଗଲେ ନାମକ ତିନି ନାବାଳକଙ୍କୁ କେସିଙ୍ଗାସ୍ଥିତ ଏକ ଆଶ୍ରମରେ ଥଇଥାନ କରାଯାଇଛି। ଉଦ୍ଧାର ସମୟରେ ସିକେରକୁପାର ଆଶାକର୍ମୀ ଲକ୍ଷ୍ମୀ ବାଗ ଓ ଶିଶୁମାନଙ୍କ ବଡ଼ମା ଲଳିତା ବିଭାର ଉପସ୍ଥିତ ଥିଲେ।ଅସହାୟ ଶିଶୁମାନଙ୍କୁ ସୁରକ୍ଷିତ ଆଶ୍ରୟ ମିଳିଥିବାରୁ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

