Prayagraj Cash Recovery: ଘର ଅଗଣା ଖୋଳୁ ଖୋଳୁ ମାଟି ତଳୁ ମିଳିଲା ୩ ଡ୍ରମ୍ ଟଙ୍କା, କୋଟି କୋଟି ଥିବା ଅନୁମାନ!
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାର ବରଇପୁର ରାମନଗର ଗାଁରେ ଏକ ଘରର ଅଗଣା ଖୋଳିବା ସମୟରେ ମାଟି ତଳୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିଛି। ମାଟି ତଳେ ପୋତା ହୋଇଥିବା ତିନୋଟି ଡ୍ରମ୍ରୁ ଏହି ଟଙ୍କା ଉଦ୍ଧାର କରାଯାଇଛି। ପ୍ରାଥମିକ ଅନୁମାନ ଅନୁସାରେ, ଉଦ୍ଧାର ଟଙ୍କାର ପରିମାଣ କୋଟି କୋଟି ହୋଇପାରେ। ତେବେ ଟଙ୍କାର ପ୍ରକୃତ ପରିମାଣ ଜାଣିବା ପାଇଁ ଗଣତି ଜାରି ରହିଛି।
ଏହି ଘଟଣାରେ ପୁଲିସ ଦୁଇ ସହୋଦର ଭାଇ ରାକେଶ ଯାଦବ ଓ ରାଜେଶ ଯାଦବଙ୍କୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି। ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ଏବଂ ଏହାକୁ ମାଟି ତଳେ କାହିଁକି ପୋତାଯାଇଥିଲା, ସେନେଇ ତଦନ୍ତ କରାଯାଉଛି।
ମାମଲାର ଗୁରୁତ୍ୱକୁ ଦେଖି ଆୟକର ବିଭାଗ, ଜିଏସ୍ଟି ବିଭାଗ ଓ ଗୁଇନ୍ଦା ସଂସ୍ଥାଗୁଡ଼ିକୁ ମଧ୍ୟ ସୂଚନା ଦିଆଯାଇଛି। ଟଙ୍କାର ଉତ୍ସ ଓ ଏହା ସହ ଜଡ଼ିତ ଅନ୍ୟ ତଥ୍ୟ ଜାଣିବା ପାଇଁ ବିଭିନ୍ନ ଦିଗରୁ ତଦନ୍ତ ଚାଲିଛି।

