Karwa Chauth Dispute: କରୱା ଚୌଥ ବ୍ରତ ନରଖିବାରୁ ପତ୍ନୀଙ୍କ ନାଁରେ ଥାନାରେ ଅଭିଯୋଗ କଲେ ସ୍ୱାମୀ
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ କରୱା ଚୌଥ ବ୍ରତକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଥାନାରେ ପହଞ୍ଚିଛି। ପତ୍ନୀ ବ୍ରତ ରଖିନଥିବା ଏବଂ ଚନ୍ଦ୍ର ପୂଜା କରିନଥିବା ଅଭିଯୋଗ କରି ସ୍ୱାମୀ ବରେଲାଲ ଆଦିବାସୀ ପୋଲିସରେ ଅଭିଯୋଗ ଦାଖଲ କରିଛନ୍ତି। କରୱା ଚୌଥରେ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ରଖିଥାନ୍ତି।
ବରେଲାଲଙ୍କ ଅଭିଯୋଗ ଅନୁସାରେ, ତାଙ୍କ ପତ୍ନୀ ମିଥିଲେଶ ଆଦିବାସୀ ବ୍ରତ ପାଳନ କରିନଥିଲେ। ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ସହ ପତ୍ନୀ ତାଙ୍କର କ୍ଷତି ଚାହୁଁଥିବା ଅଭିଯୋଗ କରିଛନ୍ତି। ଏପରିକି ଏହି ବିବାଦକୁ ନେଇ ସେ ପତ୍ନୀଙ୍କୁ ଛାଡ଼ପତ୍ର ଦେବାକୁ ଧମକ ଦେଇଥିବା ମଧ୍ୟ ଜଣାପଡ଼ିଛି।
ଘଟଣାକୁ ନେଇ ପୋଲିସ ତୁରନ୍ତ ଆଇନଗତ ପଦକ୍ଷେପ ନେବା ପରିବର୍ତ୍ତେ ଦମ୍ପତିଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ଉଦ୍ୟମ କରିବାକୁ ଯୋଜନା କରିଛି। ଜଣେ ମହିଳା ପୋଲିସ ଅଧିକାରୀ ଉଭୟଙ୍କୁ ପରାମର୍ଶ ଦେଇ ଘରୋଇ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ଚେଷ୍ଟା କରିବେ।

