Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Ganjam Flood: ଗଞ୍ଜାମରେ ବନ୍ୟାର କରାଳ ରୂପ, ୪ ହେଲିକପ୍ଟରରେ ଜଳବନ୍ଦି ଲୋକଙ୍କୁ ଏୟାରଲିଫ୍ଟ

ଗଞ୍ଜାମ: ବାତ୍ୟା ପରେ ଗଞ୍ଜାମ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବାରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଚାଲିଛି। ବର୍ଷା କମିବା ପରେ ତଟରକ୍ଷୀ ବାହିନୀ ଓ ନୌସେନାର ସହାୟତାରେ ଶୁକ୍ରବାର ୪ଟି ହେଲିକପ୍ଟର ଯୋଗେ ଧରାକୋଟ ଓ ଆସିକାର ଜଳବନ୍ଦି ଅଞ୍ଚଳରୁ ଲୋକଙ୍କୁ ଏୟାରଲିଫ୍ଟ କରାଯାଇଛି। ପରେ ବୋଟ୍‌ ସାହାଯ୍ୟରେ ସେମାନଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନିଆଯାଇଛି।

ବନ୍ୟା ପରିସ୍ଥିତିରେ ଏଯାବତ୍ ୬୩୦ ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ୩୬୬ ଜଣଙ୍କର ସୁରକ୍ଷିତ ପ୍ରସବ କରାଯାଇଛି। ଜଳବନ୍ଦି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ସହ ଶୁଖିଲା ଓ ରନ୍ଧାଖାଦ୍ୟ, ପାନୀୟ ଜଳ ଯୋଗାଣ ଜାରି ରହିଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି। ସରକାରୀ ତଥ୍ୟ ଅନୁସାରେ, ଜିଲ୍ଲାରେ ୪୨ ହଜାର ୫୬୪ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ତେବେ ପ୍ରକୃତ ପ୍ରଭାବିତଙ୍କ ସଂଖ୍ୟା ଦେଢ଼ ଲକ୍ଷରୁ ଅଧିକ ହୋଇପାରେ ବୋଲି ଆକଳନ କରାଯାଉଛି।

ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଗଞ୍ଜାମ, ଛତ୍ରପୁର, ଆସିକା, ଶେରଗଡ଼, ହିଞ୍ଜିଳିକାଟୁ, ଧରାକୋଟ, ବେଲଗୁଣ୍ଠା, ସୋରଡ଼ା, ଭଞ୍ଜନଗର, କୁକୁଡ଼ାଖଣ୍ଡି, ରଙ୍ଗେଇଲୁଣ୍ଡା, ଚିକିଟି, ପାତ୍ରପୁର, ଦିଗପହଣ୍ଡି, ସାନଖେମୁଣ୍ଡି ଓ ବ୍ରହ୍ମପୁର ସମେତ ଜିଲ୍ଲାର ଅନେକ ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଛି। ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ୪୫ଟି ଓଡ୍ରାଫ୍‌, ୫୨ଟି ଅଗ୍ନିଶମ ଟିମ୍‌ ଓ ୪ଟି ଏନ୍‌ଡିଆରଏଫ୍‌ ଟିମ୍‌ ନିୟୋଜିତ ଅଛନ୍ତି। ଏଥିସହ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପାଇଁ ରାଜ୍ୟ ସରକାର ଗଞ୍ଜାମ ଜିଲ୍ଲାକୁ ଅତିରିକ୍ତ ୨୦ କୋଟି ଟଙ୍କା ଯୋଗାଇ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories