Balangir Cafe Fire: ପିଜା ତିଆରି ବେଳେ କାଫେରେ ଲାଗିଲା ନିଆଁ, ୧୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ସଇଁତଳା ସହରରେ ଥିବା ଏକ କାଫେ ଓ ବେକେରି ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ପିଜା ପ୍ରସ୍ତୁତ କରାଯାଉଥିବା ସମୟରେ ହଠାତ୍ ଦୋକାନରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ନିଆଁ ଦ୍ରୁତଗତିରେ ବ୍ୟାପିଯିବାରୁ କର୍ମଚାରୀମାନେ ତୁରନ୍ତ ଦୋକାନରୁ ବାହାରକୁ ଚାଲି ଆସିଥିଲେ। ଏହି ଦୋକାନଟି ଜୟରାମ ବଡ଼ମାଳୀଙ୍କର ବୋଲି ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ସଇଁତଳା ଅଗ୍ନିଶମ ବିଭାଗର ଟିମ୍ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପୂର୍ବରୁ ନିଆଁ ଦୋକାନର ବିଭିନ୍ନ ଅଂଶକୁ ବ୍ୟାପିଯାଇଥିଲା। ଫଳରେ ଦୋକାନରେ ଥିବା ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାର ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ପ୍ରାଥମିକ ଭାବେ ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ସଇଁତଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ନିଆଁ ଲାଗିବାର କାରଣ ସ୍ପଷ୍ଟ ହେବ।

