Vimal Pan Masala Case: ବିଜ୍ଞାପନ ନିୟମ ଉଲ୍ଲଂଘନ ଅଭିଯୋଗରେ ଶାହରୁଖ, ଅଜୟ ଓ ଟାଇଗରଙ୍କ ନାଁ
ମହାରାଷ୍ଟ୍ର: ଭିମଲ ପାନ୍ ମସଲା ବିଜ୍ଞାପନ ବିବାଦରେ ବଲିଉଡ୍ ଅଭିନେତା ଶାହରୁଖ ଖାନ୍, ଅଜୟ ଦେବଗନ୍ ଓ ଟାଇଗର ଶ୍ରଫ୍ଙ୍କ ବିରୋଧରେ ମହାରାଷ୍ଟ୍ର FDAର ତଦନ୍ତରେ ରାଜ୍ୟର ବିଜ୍ଞାପନ ନିୟମ ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି। ମହାରାଷ୍ଟ୍ର FDA କମିଶନର ତୁକାରାମ ମୁଣ୍ଡେ ଏହି ସୂଚନା ଦେଇଛନ୍ତି। ନିଷିଦ୍ଧ ଉତ୍ପାଦର ପ୍ରଚାର ପାଇଁ ଇଲାଇଚି ଭଳି ଅନ୍ୟ ଉତ୍ପାଦର ବିଜ୍ଞାପନ ଆଳରେ ପରୋକ୍ଷ ପ୍ରଚାର କରାଯାଇଥିବା ଅଭିଯୋଗକୁ ନେଇ ତଦନ୍ତ ହୋଇଥିଲା।
ତୁକାରାମ ମୁଣ୍ଡେଙ୍କ କହିବା ଅନୁସାରେ, ତଦନ୍ତରେ ଏହି ତିନି ଅଭିନେତା ବିଜ୍ଞାପନ ସମ୍ପର୍କିତ ନିୟମ ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ଏବେ ଏହି ମାମଲାରେ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଅର୍ଥାତ୍ ଆଡ୍ଜୁଡିକେସନ୍ ଆରମ୍ଭ ହେବ। ଏହି ପ୍ରକ୍ରିୟାରେ ନିୟମ ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗ ଉପରେ ନିଷ୍ପତ୍ତି ନିଆଯିବ।
ଅନ୍ୟପଟେ, FDAର ନୋଟିସ୍କୁ ଚ୍ୟାଲେଞ୍ଜ କରି ଅଭିନେତା ଅଜୟ ଦେବଗନ୍ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଭିମଲ ପାନ୍ ମସଲା ଓ ଭିମଲ ଏଲାଇଚିର ବିଜ୍ଞାପନକୁ ନେଇ ଉଠିଥିବା ଏହି ବିବାଦରେ ଏବେ FDAର ପରବର୍ତ୍ତୀ ପଦକ୍ଷେପ ସହ ହାଇକୋର୍ଟରେ ମାମଲାର ଶୁଣାଣି ଉପରେ ନଜର ରହିଛି।

