Utkal University Hostel Food: ଉତ୍କଳ ବିଶ୍ୱ ବିଦ୍ୟାଳୟ ଲେଡିଜ୍ ହଷ୍ଟେଲର ଖାଦ୍ୟରୁ ମଲା ବେଙ୍ଗ ମିଳିଥିବା ଅଭିଯୋଗ, ଘଟଣାର ତଦନ୍ତ
ଭୁବନେଶ୍ୱର: ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ଲେଡିଜ୍ ହଷ୍ଟେଲରେ ଖାଦ୍ୟ ପରଷା ଯାଇଥିବା ବେଳେ ଖାଦ୍ୟରୁ ମଲା ବେଙ୍ଗ ମିଳିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଛାତ୍ରୀମାନଙ୍କୁ ଦିଆଯାଇଥିବା ଚିଲି ସୋୟାବିନ୍ ତରକାରୀରୁ ଏହା ମିଳିଥିବା କୁହାଯାଉଛି। ଏହି ଘଟଣା ପରେ ହଷ୍ଟେଲରେ ଖାଦ୍ୟର ମାନ ଓ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।
ନିକଟରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଜଣ୍ଡିସ୍ ଓ ଝାଡ଼ାବାନ୍ତି ମାମଲା ମଧ୍ୟ ସାମ୍ନାକୁ ଆସିଛି । ସମ୍ପୃକ୍ତ ହଷ୍ଟେଲର ଦୁଇ ଛାତ୍ରୀଙ୍କ ରିପୋର୍ଟରେ ଜଣ୍ଡିସ୍ ଚିହ୍ନଟ ହୋଇଥିବା ବେଳେ ୧୦ରୁ ଅଧିକ ସନ୍ଦିଗ୍ଧଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ନିଆଯାଇଛି। ତେବେ ଜଣ୍ଡିସ୍ ଓ ଝାଡ଼ାବାନ୍ତିର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ଖାଦ୍ୟ ଓ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଭୁବନେଶ୍ୱର ମହାନଗର ନିଗମର ସ୍ୱତନ୍ତ୍ର ଟିମ୍ ମଧ୍ୟ କ୍ୟାମ୍ପସରେ ପହଞ୍ଚି ନମୁନା ସଂଗ୍ରହ କରିଛି।
ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ କିଛି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ହଷ୍ଟେଲଗୁଡ଼ିକୁ ୧,୫୦୦ ଲିଟର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି ଏବଂ ବିଭିନ୍ନ ସ୍ଥାନରେ ଗରମ ପାଣି ବଏଲର ସ୍ଥାପନ କରାଯାଇଛି। ସତର୍କତା ଦୃଷ୍ଟିରୁ କ୍ୟାମ୍ପସର ସମସ୍ତ ଖାଦ୍ୟ ଦୋକାନକୁ ସାମୟିକ ଭାବେ ବନ୍ଦ କରାଯାଇଛି। ଏଥିସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ନମୁନା ପରୀକ୍ଷା ରିପୋର୍ଟ ଆସିବା ପରେ ରୋଗର କାରଣ ସ୍ପଷ୍ଟ ହେବ।

