Marriage Registration Camp: ଜୀବନସାଥୀ ଖୋଜିବାକୁ ମନ୍ଦିରରେ ୭ ହଜାର ଲୋକଙ୍କ ଭିଡ଼, ହାଇୱେ ପର୍ଯ୍ୟନ୍ତ ଲମ୍ବିଲା ଧାଡ଼ି
କେରଳ: ଚାକିରି ନୁହେଁ, ଜୀବନସାଥୀ ଖୋଜିବାକୁ ଏକାଠି ହେଲେ ହଜାର ହଜାର ଲୋକ। କେରଳର କୋଝିକୋଡ଼ ନିକଟ କରଣଥୁରସ୍ଥିତ ହରହର ମହାଦେବ ମନ୍ଦିରରେ ଆୟୋଜିତ ଏକ ମାଗଣା ବିବାହ ପଞ୍ଜୀକରଣ ଶିବିରରେ ଏଭଳି ଅଭୂତପୂର୍ବ ଭିଡ଼ ଦେଖିବାକୁ ମିଳିଛି। ନଭେମ୍ବର ୧ ତାରିଖରେ ଆୟୋଜିତ ଏହି ଶିବିରକୁ ପ୍ରାୟ ୭ ହଜାର ଲୋକ ପହଞ୍ଚିଥିଲେ। ଏଥିରେ ଦୂରଦୂରାନ୍ତ ଜିଲ୍ଲାରୁ ମଧ୍ୟ ଅନେକ ଲୋକ ଜୀବନସାଥୀ ଖୋଜିବା ଆଶାରେ ଆସିଥିଲେ।
ଆୟୋଜକମାନେ ପ୍ରଥମେ ୧,୫୦୦ଟି ଆବେଦନ ଫର୍ମ ରଖିଥିଲେ। ହେଲେ ଲୋକଙ୍କ ଭିଡ଼ ଏତେ ବଢ଼ିଗଲା ଯେ କିଛି ଘଣ୍ଟା ମଧ୍ୟରେ ସମସ୍ତ ଫର୍ମ ସରିଯାଇଥିଲା। ଏହାପରେ ଆୟୋଜକମାନେ ପ୍ରଥମେ ଫର୍ମର ଫଟୋକପି କରାଇଥିଲେ ଏବଂ ପରେ ଅଧିକ ଫର୍ମ ଛପାଇବା ପାଇଁ ପ୍ରିଣ୍ଟିଂ ପ୍ରେସ୍ ସହ ଯୋଗାଯୋଗ କରିଥିଲେ। ମନ୍ଦିର ବାହାରେ ଲୋକଙ୍କ ଧାଡ଼ି ଏତେ ଲମ୍ବା ହୋଇଥିଲା ଯେ ଏହା ଜାତୀୟ ରାଜପଥ ପର୍ଯ୍ୟନ୍ତ ପହଞ୍ଚି ଦୁଇଟି ବସ୍ ଷ୍ଟପ୍ ଅତିକ୍ରମ କରିଥିଲା।
ଦୂରଦୂରାନ୍ତରୁ ଆସିଥିବା ଲୋକଙ୍କୁ ନିରାଶ ହୋଇ ଫେରିବାକୁ ନପଡ଼ୁ ବୋଲି ଆୟୋଜକମାନେ ଆଉ ୪ ହଜାର ଫର୍ମ ଛପାଇଥିଲେ। ଏବେ ଆବେଦନକାରୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ଉପଲବ୍ଧ କରାଇବାକୁ କମିଟି ଯୋଜନା କରୁଛି। ଏହି କାମ ପାଇଁ ୧୦ରୁ ୨୦ ଦିନ ସମୟ ଲାଗିପାରେ। ଆସନ୍ତା ମାସ ପହିଲାରୁ ଆବେଦନକାରୀମାନେ ଉତ୍ତର ପାଇବା ଆଶା ରଖିଛନ୍ତି।

