Paragliding Rescue: ହିମାଚଳ ପ୍ରଦେଶରେ ୧୫୦ ମିଟର ଉଚ୍ଚରେ ବିଦ୍ୟୁତ୍ ତାରରେ ଫସିଲେ ପାରାଗ୍ଲାଇଡିଂ ପାଇଲଟ୍, ଅଢ଼େଇ ଘଣ୍ଟା ପରେ ଉଦ୍ଧାର
ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ଜଣେ ରୁଷୀୟ ପାରାଗ୍ଲାଇଡିଂ ପାଇଲଟ୍ ପ୍ରାୟ ୧୫୦ ମିଟର ଉଚ୍ଚରେ ଥିବା ହାଇ-ଟେନ୍ସନ୍ ବିଦ୍ୟୁତ୍ ତାରରେ ଫସିଯାଇଥିଲେ। ଦୀର୍ଘ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ସେ ସେଠାରେ ଝୁଲି ରହିଥିଲେ।
ମଣ୍ଡି ସହରଠାରୁ ପ୍ରାୟ ୫ କିଲୋମିଟର ଦୂର ମେହାଡ ଗାଁ ନିକଟରେ ଏହି ଘଟଣା ଘଟିଥିଲା। ପାଇଲଟ୍ଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିପାଇଁ ୧୪୬ ମିଟର ଉଚ୍ଚତାର ଏକ ବଡ଼ କ୍ରେନ୍ ନିୟୋଜିତ କରାଯାଇଥିଲା।
ଦୀର୍ଘ ସମୟର ଉଦ୍ୟମ ପରେ କ୍ରେନ୍ ସହାୟତାରେ ପାଇଲଟ୍ଙ୍କୁ ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିଲା। ଏତେ ଉଚ୍ଚରେ ବିଦ୍ୟୁତ୍ ତାରରେ ଫସି ରହିବା ପରେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

