Pakistan Terror Attack: ଖାଇବର ପଖତୁନଖ୍ୱାରେ ପୋଲିସ ଟିମ୍ ଉପରେ ଆତଙ୍କୀ ଆକ୍ରମଣ, ୧୧ ସୁରକ୍ଷାକର୍ମୀ ମୃତ; ପାଲଟା ଜବାବରେ ୧୮ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର କୋହାଟ ଜିଲ୍ଲାରେ ପୋଲିସ ଟିମ୍ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୧୧ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଛି। ପୋଲିସର ସୂଚନା ଅନୁସାରେ, ଅବୈଧ ସୁନା ଖଣି ଖନନ ବିରୋଧରେ ଅଭିଯାନ ଶେଷ କରି ଫେରୁଥିବା ଟିମ୍ ଦାରାବୁକାଚ ଅଞ୍ଚଳରେ ଆକ୍ରମଣର ଶିକାର ହୋଇଥିଲା। ଏହାର ପାଲଟା ଜବାବରେ ୧୮ ଜଣ ଆତଙ୍କବାଦୀ ନିହତ ହୋଇଥିବା ପୋଲିସ କହିଛି।
ମୃତ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଡିଏସ୍ପି ହାଇଦର ଜମାନ ଓ ସବ୍-ଇନ୍ସପେକ୍ଟର ମୁଖ୍ତିଆର ମଧ୍ୟ ଅଛନ୍ତି। ଆକ୍ରମଣ ସମୟରେ ପୋଲିସର ୫ଟି ଗାଡ଼ିରେ ନିଆଁ ଲଗାଇ ଦିଆଯାଇଥିଲା। ଘଟଣା ପରେ ଅଞ୍ଚଳରେ ଅତିରିକ୍ତ ପୋଲିସ ବଳ ମୁତୟନ କରାଯାଇଛି ଏବଂ ହସ୍ପିଟାଲରେ ଜରୁରୀକାଳୀନ ସ୍ଥିତି ଘୋଷଣା କରାଯାଇଛି।
ଘଟଣାକୁ ନେଇ ଖାଇବର ପଖତୁନଖ୍ୱାର ରାଜ୍ୟପାଳ ଫୈସଲ କରିମ କୁଣ୍ଡି ଦୁଃଖ ପ୍ରକାଶ କରିବା ସହ ଏନେଇ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବାକୁ ଅପେକ୍ଷା କରାଯାଇଛି।

